Unknown

 

 

 

 

 

 

 

 

 

 

 

ବିଜ୍ଞାନ ଦୁନିଆ

ଯୋଗମାୟା ଷଡ଼ଙ୍ଗୀ

 

ପଦେକଥା

 

ପିଲାମାନଙ୍କର ଅଧିକ କିଛି ଜାଣିବା ପାଇଁ ବିଶେଷ ଆଗ୍ରହ । ବେଳେବେଳେ କୌଣସି ଜିନିଷଟିଏ ଯଦି ତାଙ୍କର ଦୃଷ୍ଟିସମ୍ମୁଖକୁ ଆସେ, ସେମାନେ ତା ବିଷୟରେ ଅଧିକ ଜାଣିବା ନିମନ୍ତେ ପିତାମାତା ଓ ଶିକ୍ଷକମାନଙ୍କୁ ପଚାରି ବସନ୍ତି । ସେମିତି ଆମପାଖରେ ଅନେକ ଜିନିଷ ଅଛି ଯେ ସମ୍ପର୍କରେ ସେମାନଙ୍କ ଧାରଣା ଦିଆଗଲେ ସେମାନେ ତାହା ବିଷୟରେ ତ ଜ୍ଞାନ ଆହରଣ କରିବେ ଏବଂ ଅଧିକ କିଛି ଜାଣିବା ପାଇଁ ଆଗ୍ରହ ନିଶ୍ଚିତ ଭାବରେ ବଢ଼ିବ । ଏଇକଥାକୁ ଚିନ୍ତାକରି ପୁସ୍ତକଟିରେ କେତୋଟି ନିଜ ବ୍ୟବହାରରେ ଆସୁଥିବା ଜିନିଷ ଉପରେ ରେଖାପାତ କରାଯାଇଛି । ତା’ର ଉଦ୍ଭବ କେମିତି ହେଲା କେଉଁ ବୈଜ୍ଞାନିକ ତାକୁ ଲୋକଲୋକଚନକୁ ଆଣିପାରିଛନ୍ତି ସେ ସମ୍ପର୍କରେ ଗଳ୍ପ ମାଧ୍ୟମରେ କୁହାଯାଇଛି ।

 

ଏଇ ପୁସ୍ତକଟି ପିଲାମାନଙ୍କର ଅବସର ସମୟରେ ସାହାଯ୍ୟ କରିବା ସଙ୍ଗେସଙ୍ଗେ ସାଧାରଣଜ୍ଞାନ ଆହରଣ କ୍ଷେତ୍ରରେ ସାହାଯ୍ୟ କରିପାରିଲେ ମୋ ଶ୍ରମ ସାର୍ଥକ ହେଲା ବୋଲି ମୁଁ ଜାଣିବି ।

 

ଲେଖିକା

ଯୋଗମାୟା ଷଡ଼ଙ୍ଗୀ

☆☆☆

 

ଏଥିରେ ଅଛି—

 

୧.

ସଭିଁଙ୍କ ପାଇଁ ଘର

୨.

ଆଲୁଅ କିଏ ଆଣିଲା ?

୩.

ବହିର ଜନ୍ମ

୪.

କଥାକୁହା ଯନ୍ତ୍ର

୫.

ଶୂନୁଗାଡ଼ି ଶୂନରେ ଯାଏ ଗଡ଼ି

୬.

କଥା ଆସେ ତାରରେ

୭.

ଉଡ଼ାଜାହାଜ ନୁହେଁ କିନ୍ତୁ ଉଡ଼ାଜାହାଜ ପରି

୮.

ଆମ ପୋଷାକ

୯.

ଚକ କିଏ ଦେଲା ଗାଡ଼ିରେ ଯୋଡ଼ି

☆☆☆

 

ସଭିଁଙ୍କ ପାଇଁ ଘର

 

ଚୁନୁ ଓ ରୁବୁଲି ଦୁଇଜଣ ଭାଇ ଭଉଣୀ । ଚୁନୁ ବୟସରେ ବଡ଼ ଆଉ ରୁବୁଲି ଛୋଟ । ଚୁନୁ ରୁବୁଲିକୁ ଭଲପାଏ । ସାଙ୍ଗରେ ଖୁଆଏ, ସାଙ୍ଗରେ ସ୍କୁଲକୁ ନିଏ । ଆଉ ରୁବୁଲି ବି ଚୁନୁକୁ ଭଲପାଏ ଆଉ ତା’ କଥା ମାନେ । ତାଙ୍କଭିତରେ କଳିକଜିଆ କାହିଁ, କେହି ଦେଖିନାହିଁ । ବାପା ଓ ମା’ ଚୁନୁ ଓ ରୁବୁଲିଙ୍କୁ ଭାରି ଭଲପାଆନ୍ତି, ଗେହ୍ଲା କରନ୍ତି ।

 

ଖରାଦିନ ଛୁଟି ହେଇଗଲା । ସ୍କୁଲ କଲେଜ ସବୁ ବନ୍ଦ । ପିଲାମାନେ ଘରେ କେତେ ବସିବେ । ଚୁନୁର ବାପା ଠିକ୍‌ କଲେ ପୁରୀଆଡ଼େ ଟିକିଏ ବୁଲିଆସିବା । ଦିନେ କିମ୍ୱା ଦୁଇଦିନ ରହି ସେଠାରେ କଟାଇଆସିବା । ଦିନ ଠିକ୍‌ ହେଲା, ରବିବାର ଦିନ ହିଁ ସକାଳୁ ସକାଳୁ ଯିବାକୁ ହବ ।

 

ଚୁନୁର ବାପା ରାମନାଥବାବୁ ପିଲାମାନଙ୍କୁ ଧରି ପୁରୀ ବାହାରିପଡ଼ିଲେ । ତାଙ୍କସାଙ୍ଗରେ ତାଙ୍କର ସାନ ଭଉଣୀ ପିପି ମଧ୍ୟ ଯାଇଥା’ନ୍ତି । ସେ ଦିଲ୍ଲୀରେ ପଢ଼ନ୍ତି । ଏଇ ଖରାଛୁଟିରେ ଘରକୁ ଆସିଛନ୍ତି । ଚୁନୁର ମା’ ମଧ୍ୟ ସେମାନଙ୍କ ସାଥିରେ ଗଲେ । ସେମାନେ ପୁରୀରେ ଯାଇ ପହଞ୍ଚିଲେ, ପୁରୀ ବଡ଼ଦାଣ୍ଡ ଦେଖି ଚୁନୁ ଆଶ୍ଚର୍ଯ୍ୟ ହୋଇଗଲା । ରାମନାଥବାବୁ କହିଲେ ବୁଝିଲ ପିଲାଏ ! ଏ ହେଉଚି ବଡ଼ଦାଣ୍ଡ ଆଉ ଏ ହେଉଚି ପୁରୀ ମନ୍ଦିର, ଏଠାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଛନ୍ତି । ସେଦିନ ତାଙ୍କର ଜଣେ ସାଙ୍ଗ ଘରେ ରହିବାର ସମସ୍ତ ବ୍ୟବସ୍ଥା ହେଲା । ଚୁନୁର ଭାରି କୌତୁହଳ ଜାତ ହେଉଥାଏ ସେ ଟିକିଏ ସମୁଦ୍ରଆଡ଼େ ବୁଲିଯାଆନ୍ତା କି ? ସବୁବେଳେ ବାପାଙ୍କୁ ଲଗାଇଥାଏ ।

 

ସମସ୍ତେ ଚାରିଟାବେଳକୁ ବାହାରିଲେ, ସମୁଦ୍ରକୂଳଆଡ଼େ । ସମୁଦ୍ରକୂଳରେ ଏତେଲୋକଙ୍କୁ ଦେଖି ଚୁନୁ ଓ ରୁବୁଲିଙ୍କୁ ଭାରି ମଜା ଲାଗୁଥାଏ, କେତେ ପ୍ରକାରର ଲୋକ, କେତେ ପ୍ରକାର ଭାଷାରେ କଥାବାର୍ତ୍ତା ହେଉଥାନ୍ତି । କେତେ ପିଲା, ସତେ ଯେମିତି ସେଠାରେ ମେଳା ବସିଛି । ରୁବୁଲି ଓ ଚୁନୁ ଦୁହେଁ ସମୁଦ୍ରପାଖକୁ ଯାଇ ବାଲିରେ ଖେଳିବାକୁ ଲାଗିଲେ । ଗୋଡ଼ ପୂରାଇ ସେଠାରେ ଘରସବୁ କଲେ । ଯେତେ ଘର କରୁଥାନ୍ତି ଲହରି ଆସି ଘରତକ ଭାଙ୍ଗିଦେଉଥାଏ । ରୁବୁଲିକୁ ଭାରି ମଜା ଲାଗୁଥାଏ । ହେଲେ ଚୁନୁକୁ ଭାରି ମଜା ଲାଗୁଥାଏ ।

 

ବେଳେବେଳେ ରୁବୁଲିର ଘରକୁ ମଜାରେ ଭାଙ୍ଗିଦେଉଥାଏ ଚୁନୁ । ସଂଜ ଆସିଯାଇଥାଏ, ସୂର୍ଯ୍ୟ ବୁଡ଼ିଲେଣି କେତେବେଳୁ । ଗରକୁ ଫେରିବାକୁ ପଡ଼ିବ । ବାପା ସମସ୍ତଙ୍କୁ ଡାକ ପକାଇଲେ, କିନ୍ତୁ ରୁବୁଲି ସମୁଦ୍ରକୂଳରୁ ଆସିବାକୁ ଚାହୁଁ ନଥାଏ–ଘର ତିଆରି କରି ଚାଲିଥାଏ-। ପିଲାର ଖେଳନିଶା ଭାଙ୍ଗୁ କହି ରମାନାଥବାବୁ ଆଉ ଟିକିଏ ବସିଗଲେ । ସମୁଦ୍ର ଲହଡ଼ି ଭଳି ରୁବୁଲି ମନରେ ଦୋଳି ଖେଳୁଥାଏ, ଘର କଥା । ପ୍ରକୃତରେ ଘର ପ୍ରଥମେ କିଏ ତିଆରି କଲା-? ଆଉ ଘର କରି ରହିବା କଥା କିଏ ପ୍ରଥମେ ଚିନ୍ତା କଲା ? ଯେତେବେଳେ ବାଟରେ ଯାଉଥାଏ ଗୁଡ଼େଇ ତୁଡ଼େଇ ହେଉଥାଏ, ତା’ର ଏଇ ପ୍ରଶ୍ନ । ବାପାଙ୍କୁ ପଚାରି ପାରିଲା ନାହିଁ । ପିପି କିନ୍ତୁ ତାକୁ ଅତି ଆଦର କରନ୍ତି । ଯାହା ପଚାରିଲେ ସବୁକଥା କହି ଦିଅନ୍ତି । ଏ କଥା ସେ ନିଶ୍ଚୟ କହିଦେବେ-। ହଠାତ୍ ଘରେ ଶୋଇବା ସମୟରେ ପଚାରି ଦେଲା ରୁବୁଲି । ରୁବୁଲିର କତା ପିପି ଏଡ଼ାଇ ଦେବେ ବା କିପରି ? ଏ ବିଷୟରେ ତାକୁ ବୁଝାଇବାରେ ଲାଗିଲେ–

 

ଆମେ ଯେଉଁ ଘରେ ରହୁଛୁ ସେଗୁଡ଼ିକ କୋଠାଘର, ଚାଳଛପର ଘର । ଏଇ ଘରଗୁଡ଼ିକରେ ଖାଇବାଘର, ରୋଷେଇଘର, ଗାଧୁଆଘର, ଶୋଇବାଘର, ଭଣ୍ଡାରଘର, ବୈଠକଘର, ଇତ୍ୟାଦି ବହୁତଗୁଡ଼ିଏ ବଖରା ରହିଛି । ଘର ମଧ୍ୟ କେତେ ପ୍ରକାରର ଦେଖିବାକୁ ମିଳୁଛି । ଘରକୁ ରଙ୍ଗୀନ କରି ତିନିକୋଣିଆ, ଚାରିକୋଣିଆ ପୁଣି ସରୁ ଲମ୍ବା କରି ତିଆରି କରୁଛନ୍ତି ଲୋକମାନେ ।

 

ଏବେ ଆମେ ଯେଉଁ ଘରମାନଙ୍କରେ ରହୁଛୁ ଆଗେ ଏମିତି ଘର ସବୁ ନଥିଲା । ଘର କେମିତି ତିଆରି କରାଯିବ କେହି ଜାଣିପାରୁନଥିଲେ । ଆଦିମ ମଣିଷମାନେ ଗଛମାନଙ୍କରେ ବଣପଶୁମାନଙ୍କ ପରି ରହୁଥିଲେ । ରାତି ହେଲେ ବଣପଶୁଙ୍କ ଭୟରେ ଗଛଡ଼ାଳମାନଙ୍କରେ ଶୋଇଯାଉଥିଲେ । ହେଲେ ଏମିତି ରହିବାକୁ ସେମାନଙ୍କୁ ବହୁତ କଷ୍ଟ ହେଉଥିଲା । ସେମାନେ ଭାବିଲେ କେମିତି ଟିକେ ଭଲରେ ପଶୁମାନଙ୍କଠାରୁ ଦୂରରେ ନିରାପଦରେ ରହିପାରନ୍ତେ । ତା’ପରେ ଖରା, ବର୍ଷା, ଶୀତ, କାକରରୁ କେମିତି ରକ୍ଷା ମିଳିପାରିବ ଏକଥା ମଧ୍ୟ ଭାବିଲେ । ତା’ପରେ ପାହାଡ଼ଖୋଲରେ, ଗୁମ୍ଫାରେ ରହିବାକୁ ଲାଗିଲେ । ପାହାଡ଼ଖୋଲ, ଗୁମ୍ଫା ତ ବେଶି ନଥିଲା । ଧୀରେ ଧୀରେ ମଣିଷର ପରିବାର ବଢ଼ିବାକୁ ଲାଗିଲେ । ଗୋଟିଏ ପରିବାରରେ ବହୁତଗୁଡ଼ିଏ ଲୋକ ହେଲେ । ଛୋଟ ପାହାଡ଼ଖୋଲରେ ଏତେ ଲୋକ ରହିବେ କିପରି ? ତା’ପରେ ବି ପାହାଡ଼ ସବୁଜାଗାରେ ନାହିଁ । ପୁଣି ସବୁ ପାହାଡ଼ରେ ଗୁମ୍ଫା ବି ନାହିଁ । କିନ୍ତୁ ବାହାରେ ପାହାଡ଼ଖୋଲ ପରି ଘର ତିଆରି କରିବାକୁ ମଣିଷ ଭାବିଲା । ବୁଦା, କୁଟା, ଘାସ ଇତ୍ୟାଦି ନେଇ ବନ୍ଧାବନ୍ଧି କରି ଖୋଲପରି ଗୋଲଗୋଲ ଘରସବୁ ତିଆରି କଲେ । ଗଛ ଡାଳରେ ଘରର କାନ୍ଥସବୁ ତିଆରି ହେଲା, ତା’ ଉପରେ ଟାଣ ହେବାପାଇଁ ମାଟି ଘସିଲେ । ଗଛର ବକ୍‌କଳ, ଘାସ ପୁଣି ପଶୁର ଚମଡ଼ା ପକାଇ ଚଟାଣ ତିଆରି କଲେ । ଏଇଭଳି ଘର ଏବେ ମଧ୍ୟ ଦକ୍ଷିଣ ଭାରତରେ ଦେଖିବାକୁ ମିଳେ ।

 

ଧୀରେ ଧୀରେ ମଣିଷର ବୁଦ୍ଧି ବଢ଼ିଲା । ଘର ତିଆରିରେ ପଥରର ବ୍ୟବହାର ହେଲା । ମାଟିକୁ ଆକାର ଦେଇ ଇଟା ଗଢ଼ିଲା । ସେଇ ଇଟାକୁ କଞ୍ଚା ଇଟା କୁହାଗଲା । ତା’ପରେ ଇଟାକୁ ପୋଡ଼ି ଘର ତିଆରି କଲା । କାରଣ ପୋଡ଼ା ଇଟା ବର୍ଷା ହେଲେ ମଧ୍ୟ ସେମିତି ରହିଲା, ଧୋଇ ଗଲାନି । ତା’ପରେ ଘର ଭିତରେ କାନ୍ଥଦେଇ ଅଲଗା ଅଲଗା ବଖରା ସବୁ ତିଆରି ହେଲା । ଦଉଡ଼ିର ବ୍ୟବହାର ମଣିଷ ଜାଣିଲା । ପାଣିର ସୁବିଧା ପାଇଁ କୂଅ ଖୋଳାଇଳା । ଘରର ମଇଳାପାଣି ବାହାରକୁ ଯିବାପାଇଁ ନାଳ ମଧ୍ୟ ଖୋଳାଇଲା । ଘର ଭିତରକୁ ବାୟୁ ଚଳାଚଳ କେମିତି ଭଲରେ ହେବ ସେଥିପାଇଁ ବଡ଼ ବଡ଼ କୋଠରୀ କରି ଝରକା, କବାଟ ରଖାଗଲା । ଆଗରେ ଅଗଣା କରି ସୁନ୍ଦର ଗଛ ସବୁ ଲଗା ହେଲା । ତଥାପି ଜାଗାର ଅଭାବ ହେଲା । ସେଇ ଅଭାବ ପୂରଣ କରିବାକୁ ଘର ଉପରେ ଘର ତିଆରି କଲେ । ଏସବୁ ଘର ତିଆରି କରିବାକୁ ସିମେଣ୍ଟ ଦରକାର ହେଲା । ତା’ପରେ ଗୋଟିଏ ଜାଗାରେ ଥାଇ ଆଉ ଗୋଟିଏ ଜାଗାରେ ଘର ତିଆରି ମଧ୍ୟ କରି ପାରିଲେ । ସେଥିପାଇଁ ଗାଡ଼ିର ବ୍ୟବହାର କଲେ । ଲୁହା, ସିମେଣ୍ଟ, ଇଟା ଇତ୍ୟାଦି ଅନ୍ୟଜାଗାରୁ ଆଣି ଯୋଡ଼େଇ ଘରସବୁ ତିଆରି କଲେ । ଏବେ କେତେ ପ୍ରକାର ସିମେଣ୍ଟ ମିଳିଲାଣି । କଂକ୍ରିଟ୍‌ ଲୁହାଛଡ଼ ଆଉ ସିମେଣ୍ଟ ମିଶାଇ ବଡ଼ବଡ଼ କୋଠାଗର ସବୁ ତିଆରି କରାଯାଉଛି । ଆଛା ରୁବୁଲି, ଚୁନୁ ତମେ ଆମେରିକାର ନିୟୁର୍କରେ ୧୯୨ ମହଲା କୋଠାଥିବା କଥା ଜାଣିଥିବ ?

 

ଇଏ ତ ଗଲା ଇଟା ସିମେଣ୍ଟ ପଥରରେ ଘର କରିବା କିନ୍ତୁ ସବୁଠାରୁ ମଜାକଥା ଯେ ବର୍ତ୍ତମାନ ବହୁ ଆଧୁନିକ ପ୍ରଣାଳୀରେ ଘର ତିଆରି କରାଗଲାଣି । ଯେଉଁଥିରେ ଇଟା, ବାଲି ଆଉ ଦରକାର ନାହିଁ । କନାଭଳି ରବର ଦେଇ ତା’ ଭିତରେ ପବନ ପୂରାଇ ରବରଘର ତିଆରି କରାଯାଉଛି । ଏହାଦ୍ୱାରା ଯେଉଁଠି ଇଚ୍ଛା ସେଇଠି ଘର ତିଆରି କରିହେବ । ପୁଣି ପବନ ବାହାର କରିଦେଲେ ରବରକୁ କନାଭଳି ପୁଣି ପବନ ପ୍ଳାଷ୍ଟିକ୍‌ ଘର ମଧ୍ୟ ତିଆରି କରାଯାଇପାରୁଛି । ଏଗୁଡ଼ିକ ସବୁ ପାହାଡ଼ ଚଢ଼ିଲା ବେଳେ ଦରକାରରେ ଆସୁଛି । ସେଥିପାଇଁ ମଶା, ମାଛି ଭିତରକୁ ପଶିପାରିବେନି । ତା’ହେଲେ ଭାବିଲ ଏମିତି ଘରେ ଆମେ କେତେ ଆରାମରେ ରହିବା ।

 

ଏଭଳି ରବର ଘର ବହୁତ ଶୀଘ୍ର ତିଆରି ହୋଇପାରିବ । ସେଥିପାଇଁ ମହାକାଶରେ ଗବେଷଣା କରିବା ପାଇଁ ଏଭଳି ଘର ଉପଗ୍ରହମାନଙ୍କରେ ତିଆରି କରାଯିବାର ବ୍ୟବସ୍ଥା କରାଯାଉଛି । ଏଥର ଆମେ ଇଚ୍ଛାକଲେ ଘରଟିଏ ସାଙ୍ଗରେ ନେଇ ବୁଲିପାରିବା । ଆଉ ସିଧାସଳଖ ମଧ୍ୟ କିଣିପାରିବା । ଆମର ସିମେଣ୍ଟ, ଇଟା, ପଥର ଘରଠାରୁ କିପରି ସୁବିଧା ମୂଲ୍ୟରେ, ରବର ଘର ମିଳିପାରିବ ସେ ବିଷୟରେ ଅଧିକ ଗବେଷଣା କରାଯାଉଛି ।

 

ରୁବୁଲି ତୁ ସିନା ସମୁଦ୍ରକୂଳରେ ବାଲିରେ ଘର ତିଆରିକରି ଖେଳୁଥିଲୁ । ଏବେ ରବର ଘର କଥା ତ ତୁ ଜାଣିଲୁ । ସମସ୍ତଙ୍କ ରହିବାପାଇଁ ନିରାପଦ ସ୍ଥାନ ଦରକାର । ସିଂହ, ବାଘ ଗୁମ୍ଫାରେ ରହୁଛନ୍ତି, ଗାଈମାନେ ଗୁହାଳରେ ରହୁଛନ୍ତି, ସାପଗୁଡ଼ା ଗାତରେ ରହୁଛନ୍ତି । ହେଲେ ଚଢ଼େଇମାନଙ୍କର ଘର କାହିଁ ? ରୁବୁଲି ଭାବିଲା ସତେ ତ ତାଙ୍କଘରେ ଶୁଆକୁ ପଞ୍ଜୁରୀରେ ରଖିଛନ୍ତି । ‘‘ପିପି ! ଚଢ଼େଇମାନେ ପଞ୍ଜୁରୀରେ ରହନ୍ତି ।’’ ପିପି କହିଲେ ନା ସେମାନଙ୍କୁ ପଞ୍ଜୁରୀରେ ବାନ୍ଧି ରଖିବା ଆମର ଉଚିତ୍‌ ନୁହେଁ–କାରଣ ସେମାନେ ପକ୍ଷୀ, ସେମାନଙ୍କର ଡେଣା ଅଛି, ସେମାନେ ମନ ଆନନ୍ଦରେ ବୁଲିବାକୁ ଚାହାଁନ୍ତି, ସେମାନଙ୍କୁ କାହିଁକି ବାନ୍ଧି ରଖିବା ପଞ୍ଜୁରୀରେ କୁହ ତ ?

 

ପକ୍ଷୀମାନେ କାଠିକୂଟାରେ ଘର କରନ୍ତି, ତାକୁ ବସା କହନ୍ତି । ସେଇଠାରେ ସେ ଆନନ୍ଦରେ ରହେ ବର୍ଷା, ଖରା, ଶୀତରେ ମଧ୍ୟ ସେଠାରେ ଥାଏ ।

 

କଥାରେ କହନ୍ତିନି–

‘‘ବାଇ ଚଢ଼େଇର କି ଯାଏ ନା

ବାଆ କଲେ ବସା ଦୋହଲୁ ଥାଏ ।’’

 

ଏକଥା ଶୁଣୁଶୁଣୁ ରୁବୁଲି ଓ ଚୁନୁ ନିଦରେ ଶୋଇଯାଇଥିଲେ ।

☆☆☆

 

ଆଲୁଅ କିଏ ଆଣିଲା ?

 

ହଠାତ୍‌ ଚାରିଆଡ଼େ ଅନ୍ଧାର ହୋଇଗଲା । ବର୍ଷାପାଣିରେ ସମସ୍ତେ ଜୁଡ଼ୁବୁଡ଼ୁ ହୋଇଗଲେ । ରାସ୍ତାରେ ପାଣି ଚାଲିଲା, ପ୍ରାୟ ଅଧଘଣ୍ଟା ଧରି ବର୍ଷା ହେଲା ଯେ, କେହି ମଧ୍ୟ ଘରୁ ବାହାରିପାରିଲେନି, ସମସ୍ତେ ଖରାଦିନେ ବର୍ଷାକୁ ଚାହୁଁଥିଲେ । ଯେମିତି ଘଡ଼ଘଡ଼ି ସହ ବର୍ଷା ଓ ତା ସାଥିରେ ଝଡ଼ ତୋଫାନ ଲାଗିରହିଲା ସମସ୍ତେ କହିଲେ ବର୍ଷା ନହୋଇଥିଲେ ଭଲ ହୋଇଥାନ୍ତା ।

 

ମନୁର ବଡ଼ଭାଇ ସାନୁ ଏ ବର୍ଷ ଡାକ୍ତରୀ ପଢ଼ିବା ପାଇଁ ପଢ଼ାପଢ଼ି କରୁଛନ୍ତି ହଠାତ୍‌ ଘରୁ ବିଜୁଳୀବତୀ ଲିଭିଗଲା ବୋଲି ସେ ପଢ଼ାପଢ଼ି କେମିତି ବା କରିପାରିବେ ? ଲଣ୍ଠନଟିଏ ତ ନାହିଁ, ଲଣ୍ଠନ ଥାଉ ବା ନଥାଉ କିରୋସିନି ବି ନାହିଁ । ବଡ଼ ଅଡ଼ୁଆରେ ପଡ଼ିଗଲେ ସାନୁବାବୁ । କ’ଣ କରିବେ, ମା’ ଚାକର ପିଲା ନରହରିକୁ ପଇସା ଆଉ ଛତା ଦେଇ ପଠାଇଲେ ପାଖ ଦୋକାନରୁ ଗୋଟେ ଦୁଇଟା ମହମବତୀ ଆଣିବା ପାଇଁ । ନରହରି ଦୋକାନରୁ ମହମବତୀ ନେଇ ଫେରିଲା ଆଉ ସାନୁବାବୁଙ୍କ ପଢ଼ିବା ଘରେ ଦିଆସିଲି ଆଣି କାଠି ଜାଳି ମହମବତୀ ଲଗାଇ ଦେଲା । ଯାହାହେଉ ସାନୁବାବୁଙ୍କ ମନ ବୁଝିଲା ଓ ସେ ପଢ଼ିବା ଆରମ୍ଭ କରିଦେଲେ ।

 

କିଛି ସମୟ ତ ପଢ଼ିବାକୁ ପଡ଼ିବ, ବିଜୁଳିବତୀ ଆସିବା ଯାଏ । ସତକୁ ସତ ବିଜୁଳିବତୀ ଜଳିଉଠିଲା ଆପେଆପେ ପାଞ୍ଚ ସାତ ମିନିଟ୍‌ ପରେ । ମନୁ ତ ଛୋଟ ପିଲାଟିଏ ତାକୁ ସୁଇଚ୍ ଟିପି ବିଜୁଳୀବତୀ ଜଳାଇବାକୁ ଭାରି ମଜା ଲାଗୁଥାଏ । ସବୁଘର ବତୀଗୁଡ଼ା ଟିପ୍‌ଟାପ୍ କରି ଜଳାଇଦେଲା । ଘରସାରା ଅନ୍ଧାର ଥିଲା । କୁଆଡ଼େ ସବୁ ଚାଲିଗଲା । ଚାରିଆଡ଼େ ବିଜୁଳିବତୀ ଜଳିବାରୁ ଦିନଭଳି ଲାଗିଲା । ପିଲାମାନେ ମିଶି ବାଡ଼ି ଦୁଆରେ ଗୀତ ଗାଇ ନାଚକୁଦ କଲେ ମନ ଆନନ୍ଦରେ । ମନୁ ତ ଭାରି ଚାଲାକ ପିଲା, ସେ ବାପାଙ୍କ ଆସିବାକୁ ଅପେକ୍ଷା କରିଥାଏ । ମା’ଙ୍କ ପାଖକୁ ଚାଲିଯାଉଥାଏ । ବାପା କାହିଁକି ଆସୁନାହାନ୍ତି ବାରମ୍ୱାର ପଚାରୁଥାଏ । ବାହାରେ ବିଜୁଳିଘଣ୍ଟି ବାଜିଉଠିଲା । ମନୁ ଜାଣେ ବାପା ନିଶ୍ଚୟ ଆସିଗଲେଣି । ତର ତରରେ ଯାଇ କବାଟ ଖୋଲି ଦେଖେ ତ ସେ ବାପା ନୁହନ୍ତି । ତା’ର ବଡ଼ ମାମୁଁ ଯିଏ ସମ୍ୱଲପୁର ହୀରାକୁଦରେ ଥିବା ବିଦ୍ୟୁତ୍‌ ବିଭାଗରେ ଇଂଜିନିୟର ଅଛନ୍ତି । ତାଙ୍କ ସାଥିରେ ମାଇଁ ବି ଆସିଛନ୍ତି । ତାଙ୍କ ପୁଅ ବାବୁଲି ବି ଆସିଛି । ସେ ଏମାନଙ୍କୁ ଦେଖି ଭାରି ଖୁସି ହୋଇଗଲା । ସମସ୍ତଙ୍କୁ ମୁଣ୍ଡିଆ ମାରି ମା’ଙ୍କୁ ଜଣାଇଦେଲା ଏଖବର ।

 

ମାମୁଁ ମାଇଁ ଓ ବାବୁଲି ଜଳଖିଆ କଲାପରେ, ବିଶ୍ରାମ ନେଲେ । ଏଇ ସମୟରେ ବି ଲାଇନ୍‌ ଚାଲିଗଲା । ଘର ସାରା ଅନ୍ଧାର ହୋଇଗଲା । ନରହରି ପୁଣି ମହମବତୀ ଆଣି ଲଗାଇ ବସିଲା । ମାମୁଁ କହିଲେ–ଏତେ ବ୍ୟସ୍ତ କାହିଁକି ହଉଚ ଏଇ ଏବେ ଆସି ଯିବନି ଯେ, ଏଇଠି କୋଉଠି ଯାଇଚି । ମନୁର ସନ୍ଦେହ ହେଲା-ଏଇଠି କୋଉଠୁ ଯାଇଚି କ’ଣ ? ଲାଇନ୍ ଏମିତି ଆସୁଚି ଯାଉଚି କ’ଣ ? ସେ ଭାବିବାକୁ ଲାଗିଲା । ଏମିତି ଯଦି ଦିନରାତି ଅନ୍ଧାର ରହନ୍ତା ଲୋକ କାମ କରନ୍ତେ କିପରି ? ଚାଲବୁଲ କରିପାରନ୍ତେ କିପରି ? ବଡ଼ ଅସୁବିଧା ହୁଅନ୍ତା ନାଇଁ ସତରେ । ବିଜୁଳୀବତୀ ଜଳି ଉଠିଲା, ପୁଣି ଯୋଉ ଆଲୁଅକୁ ସେଇ ଆଲୁଅ । ଅନ୍ଧାର କୁଆଡ଼େ ଚାଲିଗଲା । ମାମୁଁଙ୍କୁ ମନୁ ସାଙ୍ଗେ ସାଙ୍ଗେ ପଚାରି ବସିଲା, ‘‘ମାମୁଁ ସତ କହିଲ ଆଲୁଅ କେମିତି ବାହାରିଲା ?’’ ଇଏତ ଏକ ଅଡ଼ୁଆ ପ୍ରଶ୍ନ । କ’ଣ କହିବେ ମନୁକୁ ମାମୁଁ ? ସେ ବା କ’ଣ ଏ ବିଷୟରେ ତାକୁ ଭଲ ଭାବରେ ବୁଝାଇପାରିବେ ? ତଥାପି ବୁଝାଇଲେ–ବୁଝିଲୁ ମନୁ ଆମେସବୁ ବିଜ୍ଞାନ ଯୁଗର ପିଲା । କେତେ ଖୁସିରେ କେତେ ଆରାମରେ ଅଛୁ । ବିଜୁଳି ଶକ୍ତି ଦ୍ୱାରା ପଙ୍ଖା ବୁଲେଇପାରୁଛୁ । କଳକାରଖାନା ଚାଲୁଛି । ଆଲୁଅ ଜଳେଇପାରୁଛୁ, ନିଆଁ ଜଳେଇପାରୁଛୁ, ଥଣ୍ଡା ପବନ, ଗରମ ପବନ ଯାହା ଇଚ୍ଛା କରୁଛୁ ପାଇପାରୁଛୁ । ହେଲେ ଆମ ଆଗରୁ ଯେଉଁମାନେ ଥିଲେ ସେମାନେ କ’ଣ ଏମିତି ଆରାମରେ ଥିଲେ ? ଟିକିଏ ଆଲୁଅ ପାଇବା ପାଇଁ କେତେ ହଇରାଣ ହେଉଥିଲେ-?’’

 

ମଣିଷ ତ ବହୁତ ଆଗରୁ ପଶୁଭଳି ରହୁଥିଲା । ସୂର୍ଯ୍ୟଚନ୍ଦ୍ରଠାରୁ ଯେତିକି ଆଲୁଅ ମିଳୁଥିଲା ସେତିକିରେ ଚଳିଯାଉଥିଲା । ହେଲେ ନିଆଁ ପାଇବ କେଉଁଠୁ ? ସେଥିପାଇଁ ଝକ୍‌ମକି ପଥରକୁ ବାଡ଼େଇ ବା ଘଷି ନିଆଁ ବାହାର କଲା । କିନ୍ତୁ ସେଇ ନିଆଁକୁ ରଖି ହେଉନଥିଲା । ଆଉ କିଛି ଉପାୟ ନପାଇ ଝକ୍‌ମକି ପଥରରେ ନିଆଁ ବାହାର କରି ଜଙ୍ଗଲରେ ଲଗାଇ ଦେଉଥିଲା । କିଛିଦିନ ପର୍ଯ୍ୟନ୍ତ ନିଆଁ ଜଳୁଥିଲା । ହେଲେ କିଛିଦିନ ପରେ ସେ ନିଆଁ ମଧ୍ୟ ଲିଭିଯାଉଥିଲା । ନିଆଁକୁ ଧରିରଖିବା ପାଇଁ କାଠିରେ ପଶୁଡେଣା କନାଭଳି ଗୁଡ଼ାଇ ଚର୍ବିରେ ନିଆଁ ଲଗେଇଲା । ତାକୁ ‘‘ମଶାଲ’’ ବୋଲି କହିଲେ । ହେଲେ ମଶାଲ ଅଳ୍ପ ସମୟ ଜଳି ଲିଭିଗଲା । ସେଥିପାଇଁ ଗୋଟିଏ ଛୋଟ ଜାଗାରେ ଦୀପଭଳି ତେଲ ରଖି ସୂତାଭଳି କିଛି ଜିନିଷ ବଳିତା ଭଳି ବଳି ରଖିଲେ-। ପଥର କିମ୍ୱା ଧାତୁରେ ଦୀପ ତିଆରି କରୁଥିଲେ । ତେଲ ସରିଗଲେ ପୁଣି ତେଲଦେବାକୁ ପଡ଼ୁଥିଲା । ତା’ପରେ ଲ୍ୟାମ୍ପ ଭଳି ତିଆରି କଲେ । ପବନରେ ସଳିତା ଲିଭିନଯିବା ପାଇଁ କାଚର ଘୋଡ଼ଣୀ ଦିଆଗଲା । ଧୀରେ ଧୀରେ ମହମବତୀ ମଧ୍ୟ ବାହାରିଲା । ପଶୁ ଚର୍ବିରେ ସଳିତା ପୂରାଇ ତିଆରି କରାଯାଉଥିଲା । ସେଗୁଡ଼ିକ କିନ୍ତୁ ଏବେକାର ମହମବତୀ ଭଳି ନୁହେଁ । ତା’ପରେ କିରୋସିନି ତେଲ ସାହାଯ୍ୟରେ ଲଣ୍ଠନ ଆଉ ଲ୍ୟାମ୍ପ ସବୁ ଜଳିଲା । ଉଇଲିୟମ ମରଡ଼କ୍‌ ନାମରେ ଜଣେ ସ୍କଟ୍‍ଲାଣ୍ଡର ବୈଜ୍ଞାନିକ ପ୍ରଥମେ କୋଇଲା ଜାଳେଣିରୁ ଗ୍ୟାସ ବାହାର କରି ତା’ ସାହାଯ୍ୟରେ ଆଲୁଅ ଜଳେଇଲେ । ୧୮୮୫ ମସିହାରେ ଜର୍ମାନୀର ଜଣେ ବୈଜ୍ଞାନିକ କନା ଉପରେ ରସାୟନିକ ପଦାର୍ଥ ଦେଇ ଏପରି ଭାବରେ ପ୍ରସ୍ତୁତ କଲେ ଯେ ସେଗୁଡ଼ିକ ବହୁତ ସମୟ ପର୍ଯ୍ୟନ୍ତ ଜଳିଲା । ଶେଷରେ ମାଇକେଲ ଫାରାଡ଼େ ଆଉ ଟମାସ୍‌ ଆଲ୍‍ଭା ଏଡ଼ିସନ୍‌ ଯେଉଁ ବିଜୁଳିବତୀ ବାହାରକଲେ ତାକୁ ଆମେ ଆଜିକାଲି ବ୍ୟବହାର କରୁଛୁ । ଫାରାଡ଼େ ‘‘ଡାଇନାମୋ’’ ବାହାର କଲେ, ସାଇକେଲରେ ବିଜୁଳି ଶକ୍ତି ସାହାଯ୍ୟରେ ଏଇ ‘‘ଡାଇନୋମୋ’’ ବ୍ୟବହାର କରାଗଲା । ବିଜୁଳି ଶକ୍ତି ସାହାଯ୍ୟରେ ବତୀ ଜଳାଇଲେ ସାର ଟମାସ୍‌ ଆଲ୍‍ଭା ଏଡ଼ିସନ୍‌-। ତା’ପରେ ହଜାର ହଜାର ବିଜୁଳିବତୀ ବାହାରିଲା । ଶେଷରେ ଗୋଟିଏ ଉପାୟ କରାଗଲା-। ଗୋଟିଏ ଜାଗାରେ ବିଜୁଳିଶକ୍ତି ସଞ୍ଚୟ କରି ରଖାଗଲା । ଘରମାନଙ୍କୁ ତାର ସାହାଯ୍ୟରେ ବିଜୁଳି ଶକ୍ତି ଯୋଗାଇ ଦିଆଗଲା । ସେଇଥିପାଇଁ ଆମେ ଘରେ ବଲ୍‌ବ ବାର୍‌ଲାଇଟ୍‌ ଇତ୍ୟାଦି ଜାଳିପାରୁଛୁ-। ପବନ କି ଧୂଆଁରେ ଲିଭିଯିବାର ଭୟ ନାହିଁ । ନିଜ ସୁବିଧା ଆଉ ଇଚ୍ଛା ଅନୁସାରେ ଆଲୁଅ ଜଳେଇ ପାରୁଛୁ । ଲିଭେଇ ପାରୁଛୁ । ଏବେ ବ୍ୟାଟେରୀ ଦ୍ୱାରା ବିଜୁଳି ଶକ୍ତି ବାହାର କରିପାରୁଛୁ-। ତା’ ଦ୍ୱାରା ଟର୍ଚ୍ଚରେ ବ୍ୟାଟେରୀ ରଖି ବାହାରକୁ ଯିବା ସମୟରେ ନେଇ ଯାଇପାରୁଛୁ-। ଏବେ ଛୋଟ ଛୋଟ ପେନ୍‌ସିଲ ବ୍ୟାଟେରୀଠାରୁ ଆରମ୍ଭ କରିବ ବଡ଼ ବଡ଼ ସହରମାନଙ୍କରେ ଯେଉଁ ଆଲୋକ ବତୀ ସବୁ ଜଳୁଛି ତା’ଭିତରେ ନିଅନ୍‌, ହିଲିୟମ୍‌ ଆଉ ଆର୍‍ଗନ୍‍ ଇତ୍ୟାଦି ଗ୍ୟାସ ବ୍ୟବହାର କରାଯାଉଛି । ସେଥିରୁ ରଙ୍ଗୀନ୍‌ ଆଲୁଅ ମିଳୁଛି । ବତୀ ଭିତରେ ନିଅନ୍‌ ଗ୍ୟାସ ଦେଲେ ନାଲି ବତୀଜଳେ । ପୁଣି ନିଅନ୍‌ ଗ୍ୟାସ ସହିତ ପାରଦ ବାଷ୍ପ ଦେଲେ ନୀଳ ଆଲୁଅ ଦେଖାଯାଏ-

 

ଏବେ କେତେରଙ୍ଗର ଆଲୋକ ବାହାରିଲାଣି । ପର୍ବପର୍ବାଣୀରେ, ସର୍କସ୍‍, ଉତ୍ସବମାନଙ୍କରେ ଯେଉଁସବୁ ରଙ୍ଗୀନ୍‌ ଆଲୋକ ଜଳୁଛି ସେ ସବୁ ବତୀ ଭିତରେ ହିଳିୟମ୍‌ ନିଅନ୍‌, ଆର୍‍ଗନ୍‌ ଇତ୍ୟାଦି ବିଭିନ୍ନ ପରିମାଣରେ ମିଶାଯାଇଥାଏ । ଯେଉଁ ଚିକ୍‌ମିକ୍‌ ଆଳୁଅ, ଧପ୍‌ ଧପ୍‌ ହେଉଥିବା ଆଲୁଅ, ଫ୍ଲଡ଼୍‍ ଲାଇଟ୍‌ର ବତୀରେ ସବୁ ଏଇ ଗ୍ୟାସର ମିଶ୍ରଣରେ ତିଆରି ଗ୍ୟାସ ଭର୍ତ୍ତି କରାଯାଇଥାଏ ।

 

ଏତକ ଶୁଣି ମନୁ ବୁଝିପାରିଲା ଯେ ମଣିଷ ତାହା ହେଲେ କେତେ ବୁଦ୍ଧିଆ । ନିଜର ଆରାମ ପାଇଁ ଏବଂ ବ୍ୟବହାର ପାଇଁ ସେ ଚିନ୍ତା କରି କେତେପ୍ରକାର ଜିନିଷ ମନରୁ ବାହାର କରିପାରୁଛି ।

 

ମାମୁଁ ତାକୁ ଗେଲ କରି କହିଲେ, ଆମ ମନୁ ବଡ଼ହେଲେ ବଡ଼ ବୈଜ୍ଞାନିକ ହେବ, ମଣିଷଙ୍କ ଉପକାର ପାଇଁ କେତେ ଜିନିଷ ବାହାର କରିବ । ସେତେବେଳକୁ ମନୁର ବାପା ଅଫିସରୁ କାହା ଟର୍ଚ୍ଚ ଲାଇଟ୍‍ଟା ଧରି ଚାଲିଆସିଥିଲେ । ମନୁବାପାଙ୍କ ହାତରୁ ଟର୍ଚ୍ଚ ଲାଇଟ୍‌ ଟାଣିଆଣି ଖୁସିରେ ଟିପି ପକାଇଲା, ବଡ଼ପାଟିରେ କହିଲା ‘‘ଏବେ ଲାଇନ୍‌ ଚାଲିଯାଉ ହାତରେ ମୋର ତ ଟର୍ଚ୍ଚ ଲାଇଟ୍‌ ଅଛି ।’’

☆☆☆

 

ବହିର ଜନ୍ମ

 

ଗାଁର ଭାଗବତ ଟୁଙ୍ଗିଟିଏ । ପ୍ରତିଦିନ ସଂଜବେଳେ ସେଠାରେ ଗାଁର କିଛି ଲୋକ ରୁଣ୍ଡ ହୁଅନ୍ତି । କଥାବାର୍ତ୍ତା ଚାଲେ, ଗୀତ ବୋଲା ହୁଏ, କଳିକଜିଆ ଝଗଡ଼ା ଝାଟି ଯଦିକା ଭିତରେ ହେଇଥାଏ । ତା’ ମଧ୍ୟ ସେଇ ଜାଗାରେ ବିଚାର ହୁଏ । ତା’ପରେ ସେଠାରେ ବୁଝାଯାଇ ପୁଣି କଳିକଜିଆ ନିଜ ଭିତରେ ନ କରିବାକୁ କୁହାଯାଏ, କିନ୍ତୁ ଦେଖିଲା ବେଳକୁ ସେଇ ଜାଗାରେ ପଣ୍ଡିତେ ଆସି ବସିଛନ୍ତି । ଲୋକ ମଧ୍ୟ ଜମା ହୋଇଛନ୍ତି । ଭୋଗରାଗ ହେଉଚି । ଘରର ପଛପଟ ଛୋଟ ଚାଳୀ ରୋଷେଇ ଘରେ ବଡ଼ ବଡ଼ ପିତ୍ତଳ ହଣ୍ଡା ବସିଚି, ରନ୍ଧା ବଢ଼ା ଚାଲିଚି; କ’ଣ ନା ଆଜି ଏଠାରେ ଗାଁର ସବୁଲୋକ ଏକାଠି ହୋଇ ଭୋଗଭାତ ଖାଇବେ । ବୁବୁନ୍‌କୁ ଭାରି ମଜା ଲାଗିଲା । ସେ ବି ଆଜି ବାପାଙ୍କ ସାଙ୍ଗରେ ଖାଇବାକୁ ଯିବ । ସେଠାରେ ଅନ୍ୟ ପିଲାମାନଙ୍କ ସହ ମିଶି କ୍ଷୀରି ଖେଚୁଡ଼ି ଆଉ ଡାଲମା ଖାଇବ । ବାପାଙ୍କ ସାଙ୍ଗରେ ଯାଇ ସେଠି ପହଞ୍ଚି ଦେଖେ, ପଣ୍ଡିତେ ଭାରି ସୁନ୍ଦର କଣ୍ଠରେ ଗାଇଚାଲିଛନ୍ତି ।

 

ଭାରି ମଜାଲାଗୁଚି ଶୁଣିବାକୁ । ଭୋଗରାଗ ହେଇନି; ଆଉ ଅଳ୍ପ ସମୟ ପରେ ହେବ, ସମସ୍ତେ ଠାକୁରଙ୍କର ଭୋଗ ଖାଇବେ ।

 

ଲୋକମାନଙ୍କ ଭିତରେ ଯାଇଁ ବାପାଙ୍କ ସାଥିରେ ବୁବୁନ୍‌ ବସିଲା । ପଣ୍ଡିତେ ଡଗଡଗ ହେଇ ପଢ଼ି ଯାଉଥାନ୍ତି । ଲମ୍ୱା ଲମ୍ୱା ତାଳପତ୍ରରେ ଲେଖାଯାଇଛି । ପଣ୍ଡିତେଙ୍କ ପାଖକୁ ଆଉ ଟିକିଏ ଲାଗିଗଲା ସେ । ପଣ୍ଡିତେ ବୁବୁନ୍‌ର ମନକଥା ବୁଝିସାରିଲେଣି । ବୁବୁନ୍‌ ତାଙ୍କ ପାଖକୁ ଚାହିଁ ଲାଗି ଆସୁଚି । ଭାଗବତ ପାଠ ସରିଲା । ସମସ୍ତେ ଭୋଗ ଖାଇଲେ । ପଣ୍ଡିତେ ବୁବୁନ୍‌କୁ ଡାକି ଭୋଗ ଦେଇ ପଚାରିଲେ ମୁଁ ଜାଣେ ତୁ କ’ଣ ପାଇଁ ମୋ ପାଖକୁ ପାଖକୁ ଘୁଞ୍ଚି ଆସୁଥିଲୁ । ତମ ସ୍କୁଲରେ ଯେଉଁ ବହି ପଢ଼ୁଚୁ ସେ ଏ ବହି ନୁହେଁ, ଏ ଗୁଡ଼ିକ ପୋଥି । ଏହା ତାଳପତ୍ର , କାଗଜ ନୁହେଁ । ଏହା ଉପରେ ଯେଉଁ ଅକ୍ଷର ଲେଖାହେଇଚି, ଏହା ମୁନିଆ ଲୁହାକଣ୍ଟାରେ ପତ୍ରକୁ ଚିରିକରି ଲେଖାହୋଇଛି । ଯାହା ଯୁଗଯୁଗ ଧରି ରହିଛି । ଆଗେ ପୋଥିଟିଏ ଲେଖିବାକୁ ଭାରି କଷ୍ଟ ଲାଗୁଥିଲା । ଏବେ ଛାପାଖାନା ହେଲାରୁ ସିନା ପୋଥିର ଆଦର କମିଗଲାଣି । ବହିର ଆଦର ବଢ଼ିଲାଣି । କିନ୍ତୁ ପୁରୁଣା ଯେତେ ଗୀତ, ଭଜନ, ଜଣାଣ ଲେଖାଯାଉଥିଲା, କବିମାନେ ଲେଖନୀରେ ଏଇ ପୋଥିରେ ଲେଖିପକାଉଥିଲେ ।

 

ତେବେ ଏ ପୋଥି କ’ଣ ଆଉ ବହି କ’ଣ ? ଏକଥା ଜାଣିବାରେ ବୁବୁନ୍‌କୁ ଏତେ ସହଜ ଜଣାପଡ଼ିଲାନି, ସେ ପୁଣି ପଣ୍ଡିତଙ୍କୁ ପଚାରିଲା । ପଣ୍ଡିତ କହିଲେ–ଆମେ ସମସ୍ତେ ବର୍ତ୍ତମାନ ଛାପା ବହି ପଢ଼ୁଛୁ । ସମସ୍ତଙ୍କ ପାଖରେ ଏକା ପ୍ରକାର ବହି । ଏକା ଚିତ୍ର, ଏକା ଲେଖା ସବୁ ସମାନ । ବହିଗୁଡ଼ିକ ଅତି ଶସ୍ତାରେ ମଧ୍ୟ ମିଳୁଛି । ଖାଲି ବହି ନୁହେଁ, ଖବରକାଗଜ ଓ ପତ୍ରପତ୍ରିକା ମଧ୍ୟ ମିଳୁଛି ।

 

କିନ୍ତୁ ଆଗରୁ ଏମିତି ନଥିଲା । ବହିଖଣ୍ଡେ ପଢ଼ିବାକୁ ଚାହିଁଲେ ମଧ୍ୟ କେହି ବହି ପଢ଼ିପାରୁନଥିଲେ । ଲେଖିବା ଜାଣିନଥିଲେ । କେମିତି ଲେଖିଲେ ବହୁତ ଦିନ ରହିବ, କ’ଣ କଲେ ଚିତ୍ର କରିହେବ, ଏ ସବୁ ମଧ୍ୟ ଜାଣିନଥିଲେ । ପ୍ରଥମେ ଯେତେବେଳେ ମଣିଷ ଚିତ୍ରକରି ଶିଖିଲା ସେତେବେଳେ ତ କାଳି ଆଉ କାଗଜ ନଥିଲା । ସେଥିପାଇଁ ଯେଉଁମାନଙ୍କର ଚିତ୍ରକରିବାକୁ ଇଚ୍ଛା ହେଉଥିଲା ସେମାନେ ପଶୁହାଡ଼ରେ, ପଥରରେ, ହାତୀଦାନ୍ତରେ ଖୋଦେଇ କରି ଚିତ୍ର ଆଙ୍କୁଥିଲେ-। ପ୍ରାୟ ଖାଲି ପଶୁ ଚିତ୍ର କରୁଥିଲେ । ତା’ପରେ ପଶୁ ଚମଡ଼ାରେ ଓ ଗଛ ବକ୍କଳକୁ କାଟି ଚିତ୍ର କରୁଥିଲେ । ଧୀରେ ଧୀରେ ଅକ୍ଷର ଲେଖିବା ଶିଖିଲେ । ମିଶର ଦେଶର ବହୁତ ପୁରୁଣା ବହି ସବୁ ମିଳିଛି । ସେଇ ସବୁ ବହିମାନଙ୍କରେ ଚିତ୍ରଦ୍ୱାରା ସବୁ ଲେଖାହୋଇଛି । ଏମିତି କଲେ ବହୁତ ସମୟ ତ ନିଶ୍ଚୟ ଚାଲିଯାଉଥିବ । ତା’ପରେ ସବୁବେଳେ ଚିତ୍ରକରିବା ମଧ୍ୟ କଷ୍ଟ । ତା’ପରେ ମଣିଷ ଭାବିଲା କେମିତି ଲେଖିହୁଅନ୍ତା କି ? ଲେଖିଶିଖିବା ପରେ ମଣିଷକୁ କିଛି ଅବୁଝା ରହିଲାନି-। ସବୁ ସହଜ ହୋଇପାରିଲା । ଯାହା ସବୁ ମନକୁ ଆସିଲା, ନୂଆ ଧାରଣା ସବୁ ଲିପିବଦ୍ଧ କରି ରଖିବା ସହଜ ହୋଇଗଲା ।

 

କବି, ଲେଖକଙ୍କର ମୃତ୍ୟୁପରେ ବି ଭଜନ, ଜଣାଣ, ଗୀତ ଓ ଲେଖାଗୁଡ଼ିକ ଅନ୍ୟମାନଙ୍କ କାମରେ ଲାଗୁଥିଲା । ଛାପାକଳ ବାହାରିବା ଆଗରୁ ବହୁତ ଅଳ୍ପ ବହିଥିଲା । ହାତରେ ଲେଖା ବହି । ମୁନିଋଷିମାନେ କେବଳ ଯାହା ଲେଖୁଥିଲେ, ଭୁଜପତ୍ରରେ । ସେତେବେଳେ ଯାହାପାଖରେ କିଛି ବହିଥିଲା ତାକୁ ଧନୀଲୋକ ବୋଲି କୁହାଯାଉଥିଲା । କାରଣ ବହିଗୁଡ଼ିକ ଦାମିକା ଥିଲା । ସେଥିପାଇଁ ଖାଲି ରାଜା ମହାଜାରାମାନେ ବହି ପଢ଼ାପଢ଼ି କରିପାରୁଥିଲେ । ପାଠ ପଢ଼ୁଥିଲେ । ଶେଷରେ ଚୀନ୍‌ ଦେଶର ଜଣେ ଚତୁର ଲୋକ ପ୍ରଥମେ ବହି କେମିତି ଛାପି ହେବ ସେ କଥା ଚିନ୍ତା କଲେ । ଛୋଟ ଛୋଟ କାଠଖଣ୍ଡ ସବୁ ଅକ୍ଷର ଆକାରରେ କାଟି କାଳିରେ ବୁଡ଼େଇ କାଗଜରେ ଚାପିଦେଲେ । ଏମିତି କରି ବହିଟିଏ ଛାପିଲେ । ଚୀନ୍‌ ଦେଶରେ ପ୍ରଥମେ ବହି ଛପା ହୋଇଥିଲା । ଏହିଭଳି ଭାବରେ ଛାପିବାକୁ କାଠବ୍ଳକ୍‌ ଛାପିବା ବୋଲି କୁହାଗଲା । ୭୭୦ ମସିହାରେ କାଠ ଅକ୍ଷରରେ ପ୍ରଥମେ ଛପାଯାଇଥିଲା । ଖାଲି ଅକ୍ଷର ନୁହେଁ ଚିତ୍ର ମଧ୍ୟ ଛପାଯାଉଥିଲା । ହାତରେ କାଠ ଅକ୍ଷର ସବୁ ଛପେଇବାକୁ ବହୁତ ସମୟ ଲାଗୁଥିଲା । ଜୋହାନ୍‌ ଗୁଟେନ୍‌ବର୍ଗ ନାମକ ଜଣେ ବ୍ୟକ୍ତି ଛପାକଳ ବାହାର କରିବାରେ ସଫଳ ହେଲେ । ସେ ଧାତୁକୁ ତରଳେଇ ଅକ୍ଷର ଏକାଠି କରି ଲେଖିଲେ । ଧାଡ଼ି ଧାଡ଼ି କରି ପୃଷ୍ଠାମାନଙ୍କରେ ଛାପିଲେ । ଗୁଟେନ୍‌ବର୍ଗ ଜର୍ମାନୀରେ ୧୩୭୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଆଉ ଏଇ ଛପାକଳ ୧୪୩୬ ମସିହାରେ ଉଦ୍ଭାବନ କରିଥିଲେ । ମେଞ୍ଜ ନାମକ ଗୋଟିଏ ସ୍ଥାନରେ ଏଇ ଛପାକଳ ବସାଇଥିଲେ । ‘ବାଇବେଲ’ ହେଉଛି ଇଉରୋପର ପ୍ରଥମ ଛପାବହି । ତା’ପରେ ଇଂଲଣ୍ଡରେ ମଧ୍ୟ ଅନେକ ଛପାକଳ ବସାଗଲା । ଉଇଲିୟମ୍ ବାକ୍‌ସଟନ୍‌ ପ୍ରଥମେ ଇଉରୋପରେ ଛପାକଳ ବସାଇଲେ । ଆମ ଦେଶରେ ପ୍ରଥମେ କଲିକତାଠାରେ ୧୭୮୦ ମସିହାରେ ଛପାକଳ ବସାଯାଇଥିଲା ।

 

ଛପା ଅକ୍ଷରଗୁଡ଼ିକୁ ଗୋଟିଏ ସରୁନଳୀ ସାହାଯ୍ୟରେ କାଳି ଯୋଗାଇ ଦିଆଯାଉଥିଲା । ତା’ପରେ କାଗଜ ରଖି ଛପାଯାଉଥିଲା । ତେଣୁ ଅକ୍ଷରଗୁଡ଼ିକ ସଫା ଏବଂ ସୁନ୍ଦର ଦେଖାଯାଉଥିଲା-

 

ତା’ପରେ ଛପାକଳ ହାତରେ ନ ହୋଇ କଳଦ୍ୱାରା କରାଗଲା । ସେଇ ଛପାକଳରେ ଟାଇପ୍‌ ମେସିନ୍‌ ପରି ସବୁ ଅକ୍ଷର ରଖାଗଲା । ‘ମନୋ ଟାଇପ୍‌’ ନାମରେ ଆଉ ଗୋଟିଏ ମେସିନ୍‌ ମଧ୍ୟ ବାହାରିଲା । ତା’ପରେ ବିଜୁଳି ଶକ୍ତି ସାହାଯ୍ୟରେ ଶୀଘ୍ର ଶୀଘ୍ର ଛପା କାମ ହୋଇପାରିଲା । ବଡ଼ ବଡ଼ ବହି ଛାପିବାକୁ ମଧ୍ୟ ବେଶି ସମୟ ଲାଗେ ନାହିଁ । ଛାପିବା ପରେ ଯେଉଁ କାଗଜ ବଳେ ତାକୁ ପୁଣି ଲୋକମାନଙ୍କ ହାତରେ ଉଠେଇବାକୁ ପଡ଼େ । ସେଥିପାଇଁ ସେ କାମ ସବୁ କରିବାକୁ ମଧ୍ୟ ଯନ୍ତ୍ର ଏବେ ବାହାରିଲାଣି । କାଗଜ କାଟିବା, ଛାପା ହେଲାପରେ ନେଇ ଏକାଠି ରଖିବା କାଳି ଯୋଗାଇବା, କାଗଜ ଉଠେଇବା ଇତ୍ୟାଦି କାମ କରିବା ପାଇଁ ସବୁ ନୂଆ ଯନ୍ତ୍ର ବାହାରିଲାଣି ।

 

ଖବରକାଗଜ ଭଳି ବଡ଼ ବଡ଼ କାଗଜରେ ଛାପିବା ପାଇଁ ବଡ଼ ବଡ଼ ଯନ୍ତ୍ର ଦରକାର । ସେଭଳି ଯନ୍ତ୍ରକୁ ରୋଟାରୀ ପ୍ରେସ୍‍ ବୋଲି କୁହାଯାଏ । ଏହି ଛପାକଳରେ ବଡ଼ ବଡ଼ କାଗଜ ଗୋଲ କରି ଗୁଡ଼ାଇ ରଖାଯାଇଥାଏ । ଆଉ ସିଧା ଯନ୍ତ୍ରକୁ ଆସେ ଆଉ ଶୀଘ୍ର ଶୀଘ୍ର ଛାପି ହୋଇଯାଏ । ଆଜିକାଲି ଏମିତି ଛପାକଳ ବାହାରିଲାଣି । ସ୍ୱୟଂଚାଳିତ ମେସିନ୍‌ ପ୍ରାୟ ଏକାଥରକେ ୪୦,୦୦୦ ପୃଷ୍ଠା ପର୍ଯ୍ୟନ୍ତ ଛାପିପାରୁଛି । ଆଉ ରୋଟାରୀ ପ୍ରେସରେ ଲକ୍ଷେ ଖବରକାଗଜ ମଧ୍ୟ ଏକାବେଳକେ ଛପାଯାଇ ବାହାରି ଲୋକମାନଙ୍କୁ ଦେଶ ବିଦେଶର ଖବର ଦେଉଛି ।

 

ଏଇ ଛପାକଳ ବାହାରିଗଲାରୁ ସିନା ଆମେ ଏତେ କଥା ଜାଣିପାରୁଛେ । ନିଜ ମନୋଭାବକୁ ପ୍ରକାଶ କରିପାରୁଛେ । ତଦ୍ୱାରା ଆମର ଜ୍ଞାନ ବଢ଼ୁଛି । ବହି ପଢ଼ି ଅନେକ ଅଜଣା କଥା ମଧ୍ୟ ଜାଣିପାରୁଛେ । ଆମ ଦେଶରେ ମଧ୍ୟ ଅନେକ ଛପାକଳ ଅଛି ଏବଂ ନିଜ ନିଜ ଭାଷାରେ ମଧ୍ୟ ବହି ଛାପିପାରୁଛେ । ଜ୍ଞାନ ବଢ଼ିବାରେ ଆମକୁ ବହି କେତେ ସାହାଯ୍ୟ କରୁଛି ସତରେ । ବୁବୁନ୍‌ ପଣ୍ଡିତଙ୍କ ଠାରୁ ଏକଥା ଶୁଣି ଭାବୁଥିଲା । ବହି ପରି ଆଉ ସାଥିଟିଏ କିଏ ଅଛି ତାର । ବହିର ଜନ୍ମ କାହାଣୀ କେତେ ମଜା ସତେ ?

☆☆☆

 

କଥା କୁହା ଯନ୍ତ୍ର

 

ସେଦିନ ବେଗି ବେଗି ବାହାରିପଡ଼ିଲେ, ରିନା, ରିନି, ଟୁକୁନି, ବାପି, ଧୀର, ନିର ଏକାଠି ଗୋଟିଏ ଜାଗାକୁ । ଯେଉଁ ଜାଗା ସେମାନେ କେବେ ଆଗରୁ ଦେଖିନଥିଲେ । ତାଙ୍କ ଗୋଟିଏ ଦର୍ଶନୀୟ ସ୍ଥାନ ବୁଲି ଦେଖିଲା ଭଳି ଲାଗୁଥାଏ ।

 

ସାଙ୍ଗରେ ମହେଶ ମାଷ୍ଟ୍ରେ, ମଧ୍ୟ ଥାଆନ୍ତି । ସେ ଯେମିତି ପାଠ ପଢ଼ାନ୍ତି ସେମିତି ଗୀତ ନାଚ ଶିଖାଇବାରେ ଜଣେ ଓସ୍ତାଦ । ପିଲାମାନଙ୍କୁ ସେ ଗୋଟିଏ ନାଟିକା ଶିଖାଇଥାନ୍ତି ଆଉ ସେଇଟି କେମିତି ପ୍ରଚାର ହେବ ସେଥିପାଇ ରେଡ଼ିଓ ଷ୍ଟେସନ୍‍ରୁ ଡାକରା ଆସିଥାଏ । ରିକ୍‌ସାରେ ବସି ସମସ୍ତେ ରେଡ଼ିଓ ଷ୍ଟେସନକୁ ବାହାରିପଡ଼ିଲେ । ସେମାନେ ପହଞ୍ଚିଲେ ଯାଇ ରେଡ଼ିଓ ଷ୍ଟେସନରେ । ଭିତରକୁ ପଶିଗଲେ ସମସ୍ତେ । ଭାରି ଥଣ୍ଡା ଥଣ୍ଡା ଲାଗୁଥାଏ । ବାହାରେ ଏତେ ଗରମ ଲାଗୁଥିଲା, ଅଥଚ ଭିତରେ ଥଣ୍ଡା । ବାପି ଆଖି ପଡ଼ିଯାଉଥାଏ । ସେ ଯଦି ଶୋଇପଡ଼ିବ, ତେବେ ନାଟିକା କେମିତି ରେକର୍ଡ଼ିଂ ହେବ । ଗୋଟେ ନିବୁଜ ଘରେ ସମସ୍ତେ ମାଇକ୍ରୋଫୋନ ପାଖରେ ଠିଆହେଲେ । ରେକର୍ଡ଼ିଂ କରାଗଲା । ସେ ପଟରେ ଜଣେ ବାବୁ ବସିଥିବାର କାଚ ଝରକା ବାଟେ ଦେଖାଯାଉଥାଏ । ମେସିନ୍‌ ଲାଗିଥାଏ । ଯେଉଁଥିରେ ପିଲାମାନଙ୍କର ନାଟକ ଟେପରେ ରେକର୍ଡ଼ିଂ ହେଉଥିଲା । ତାହା ସରୁ ଫିତା ଭଳି ଦେଖାଯାଉଥାଏ । ମହେଶ ସାର ପିଲାମାନଙ୍କୁ ରେକର୍ଡିଂ ଶେଷ ହେବାପରେ ଡାକି ଜଳଖିଆପତ୍ର ଖୁଆଇ ଘରକୁ ନେଇଆସିଲେ । ପିଲାମାନଙ୍କର ମନ ଖୁସି, ଶିଶୁ ସଂସାରରେ ତାଙ୍କର ନାଟକ ବାଜିବ । କେତେ ଲୋକ ଶୁଣିବେ । ତାଙ୍କ ସାର୍‌ମାନେ ସେମାନଙ୍କର ନାଟକ ଶୁଣି ଆନନ୍ଦ ପାଇବେ ।

 

ଯେଉଁଦିନ ବାଜିବ, ସେଇଦିନ ସମସ୍ତେ ରୁଣ୍ଡ ହୋଇ ବସିଯାଇଛନ୍ତି । ଗୋଟିଏ ବଡ଼ ରେଡ଼ିଓ ଟେବୁଲ ଉପରେ ରଖାଯାଇଛି । ରେଡ଼ିଓ ବାଜିବ । ସେମାନଙ୍କର ନାଟକ ଶୁଣାଯିବ ।

 

ମହେଶ ସାର୍‌ ବି ବସିଛନ୍ତି । ଯିଏ ପାଟି କରୁଛନ୍ତି, ତାଙ୍କୁ ଡରେଇ ଦେଉଛନ୍ତି । ବାପିର ଭାଇ ଗୋପୀ ବସିଥିଲା, କାହାକୁ କିଛି କହୁନଥିଲା । ହଠାତ୍‌ କହିଉଠିଲା, ସାର୍‌ ! ବାପିଭାଇ ଏଠିତ ବସିଚି ଏବେ ତା’ କଥା କେମିତି ରେଡ଼ିଓ ଭିତରେ ଶୁଣାଯିବ । ମହେଶ ସାର ଗୋପୀକୁ ବୁଝାଇଦେଲେ ଏବଂ କହିଲେ ନାଟକ ଶେଷ ହେଉ, ତମେମାନେ ଶୁଣିସାର ନାଟକ ମୁଁ ତମକୁ ସବୁକଥା କହିଦେବି । ନାଟକ ଶୁଣିବା ଶେଷହେଲା, ସମସ୍ତେ ଖୁସି ହେଲେ । ମହେଶ ସାର୍‌ଙ୍କୁ ତ ଗୋପୀ ଛାଡ଼ୁନଥାଏ, ସେ ଯେମିତି ହେଲେ ଆଜି ବୁଝିବ । ବାପି ଭାଇର ନାଟକ ସେ ଶୁଣିପାରିଲା କିପରି ? ମହେଶସାର୍‌ ଜାଣିବା ଶୁଣିବା ଲୋକ । ସେ ସବୁ ପିଲାଙ୍କୁ ବୁଝେଇ କହିଲେ ।

 

ଆମେ ଯେଉଁ ନାଟକଟି ଏବେ ଶୁଣିଲେ ତାହା ଆମପାଖକୁ ତରଙ୍ଗ ବା ଢେଉ ଆକାରରେ ଆସିଲା । ଏହି ତରଙ୍ଗ ପବନ ବା ସମୁଦ୍ର ଢେଉ ପରି ନୁହେଁ ।

 

ଏହା ବେତାର କେନ୍ଦ୍ର ବା ରେଡ଼ିଓ ଷ୍ଟେସନରୁ ଆସିଥିବା ବିଦ୍ୟୁତ୍‌ ତରଙ୍ଗ । ଏହାକୁ କୁହାଯାଏ ବେତାର ତରଙ୍ଗ । କାନ ଶବ୍ଦ ତରଙ୍ଗକୁ ଗ୍ରହଣ କଲେ ଆମେ ଶୁଣିପାରୁ । ଶବ୍ଦ ତରଙ୍ଗକୁ ରେଡ଼ିଓ ସେଟ୍‌ ଗ୍ରହଣ କଲାପରେ ଆମେ ଶୁଣୁ ।

 

ଟୁକୁନି ବସିଥିଲା । ହଁ ମାରୁଥିଲା । କିନ୍ତୁ ତା’ ମନରେ ଗୋଟିଏ ପ୍ରଶ୍ନ ଉଠିଲା । ସେ ସାର୍‌ଙ୍କୁ କହିଲା, ସାର୍‌ ! ଆମେ ଯେଉଁ କେନ୍ଦ୍ରରେ ଯାଇ ନାଟକ ରେକର୍ଡ଼ିଂ କରି ଆସିଲୁ, ସେଇ କେନ୍ଦ୍ରରୁ ଆସୁଥିବା ନାଟକ କେବଳ ଆମ ରେଡ଼ିଓରେ ତ ଶୁଣାଯିବା କଥା । ଚଗଲା ଘର ରେଡ଼ିଓରେ ମଧ୍ୟ ସୋଇ ନାଟକ ଶୁଣାଗଲା ? ସାର୍‌ ଟିକେ ହସି କହିଲେ ଆରେ ପିଲା ତମେ ଏତିକି ଜାଣିନା, ତମେ ଯେଉଁ ନାଟକଟି ରେକର୍ଡ଼ିଂ କରି ଆସିଲ ସେଇଟା ଠିକ୍‍ ସମୟରେ ରେଡ଼ିଓ କେନ୍ଦ୍ରରେ ବାଜିଲା । ତାହା ବେତାର ତରଙ୍ଗ ହୋଇଗଲା । ତାହା ପୁଣି ରେଡ଼ିଓ ସେଟ୍‍କୁ ଆସିଲା । ଯେଉଁମାନେ ସେଇ ସମୟରେ ରେଡ଼ିଓ ସେଟ୍‍ ଖୋଲିଲେ କଟକ ବେତାରକେନ୍ଦ୍ରରୁ ସେ ନାଟକ ଶୁଣାଗଲା । ଭାରତ ସାରା ଯିଏ ସେ ସମୟରେ କଟକ ସେଣ୍ଟର ଖୋଲିଥିବ ସେ ମଧ୍ୟ ତମର ନାଟକ ଶୁଣିପାରୁଥିବ ।

 

ରିନି କହିଲା, ସାର୍‌ ଆମେ ଗୋଟିଏ ଜିନିଷକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବିଭିନ୍ନ ଗାଡ଼ି ସାହାଯ୍ୟରେ ସେଇ ଆସୁ । ହେଲେ ବେତାର କେନ୍ଦ୍ରରେ ଯେଉଁ ନାଟକଟି ବାଜିଲା, ତାହା ଆମ ରେଡ଼ିଓ ଭିତରକୁ କେମିତି ଆସି ବାଜିଲା ?

 

ସାର୍‌ କହିଲେ, ରିନି ଠିକ୍‌ କଥା କହିଛି । ରେଡ଼ିଓ ଷ୍ଟେସନ୍‍ରୁ କାର୍ଯ୍ୟକ୍ରମ ଶବ୍ଦ ତରଙ୍ଗ ବାୟୁମଣ୍ଡଳ ବା ବେତାରରେ ଭାସି ଆସେ । ଏରିୟଲ ତାରରେ ସେଇ ଶବ୍ଦ ତରଙ୍ଗ ବାଜି ରେଡ଼ିଓ ମଧ୍ୟରେ ପ୍ରବେଶ କରେ । ସେହି ଶବ୍ଦଗୁଡ଼ିକ ମଧ୍ୟରୁ କେଉଁ କେନ୍ଦ୍ର କାର୍ଯ୍ୟକ୍ରମ କେଉଁ ତାର ଗ୍ରହଣ କରିବ ତାହାର ବ୍ୟବସ୍ଥା ଥାଏ । ସେହି ତାର ବା କଏଲ ଭଲ୍‌ଭ ମଧ୍ୟ ଦେଇ ଗତି କରିବାରୁ ଶବ୍ଦ ତରଙ୍ଗ ବାଛିହୋଇଯାଏ ଓ ସ୍ୱର ମଧ୍ୟ ସ୍ପଷ୍ଟ ହୁଏ । ରେଡ଼ିଓ ମଧ୍ୟ ଦେଇ ଶବ୍ଦ ତରଙ୍ଗ ସେଇ ସବୁ ସୂକ୍ଷ୍ମ ତାର ସିଲିଣ୍ଡର ଓ ଭଲ୍‌ଭ ବାଟଦେଇ ଶେଷରେ ଲାଉଡ଼୍‌ସ୍ପିକର୍‍ ପାଖରେ ପହଞ୍ଚିଥାଏ । ସେଠାରେ ଆମେ ଶବ୍ଦ ଶୁଣିପାରୁ । ଖାଲି ରେଡ଼ିଓ ତ ବାଜିପାରିବ ନାହିଁ । ତା’ପାଇଁ ଦରକାର ବିଜୁଳି, ନହେଲେ ବେଟେରୀ । ରେଡ଼ିଓ ବିଦ୍ୟୁତ୍‌ ବା ବା ବେଟେରୀ ଦ୍ୱାରା ଚାଲେ ।

 

ଏଇ ବେତାର ଯନ୍ତ୍ରକୁ ଯିଏ ଉଦ୍ଭାବନ କରିଥିଲେ, ତାଙ୍କ ନାମ ହେଉଛି ମାର୍କୋନୀ । ସେ ଇଟାଲି ଦେଶର ଲୋକ ।

ଇଟାଲୀର ମାର୍କୋନୀ ଥରେ ଗୋଟିଏ ପୋଖରୀକୂଳରେ ବସିଥାନ୍ତି । ପୋଖରୀ ଭିତରକୁ ଟେକାଟିଏ ଫିଙ୍ଗି ଦେଖିଲେ ଚାରିଆଡ଼କୁ ତରଙ୍ଗ ଖୋଲିଗଲା । ସେହି ତରଙ୍ଗ ଦେଖି ମାର୍କୋନୀ ଭାବିଲେ ଶବ୍ଦର ତରଙ୍ଗକୁ ଯଦି ଏମିତି ଧରି ରଖିହୁଅନ୍ତା, ତେବେ ଗୋଟିଏ ସ୍ଥାନରେ କଥା କହିଲେ ଅନ୍ୟସ୍ଥାନରେ ଶୁଭନ୍ତା ।

 

ମାର୍କୋନୀଙ୍କର ବାପା ଜଣେ ଧନୀ ବ୍ୟବସାୟୀ ଥିଲେ । ସେ ଚାହୁଁଥିଲେ ମାର୍କୋନୀ ତାଙ୍କ ପରିବାରର ବ୍ୟବସାୟରେ ସାହାଯ୍ୟ କରନ୍ତା । କିନ୍ତୁ ମାର୍କୋନୀ ସବୁବେଳେ ଯନ୍ତ୍ରପାତି ଧରି ନିଜକାମରେ ବ୍ୟସ୍ତ ରହୁଥିଲେ । ଦିନେ ରାତିରେ ତାଙ୍କ ଘରର ଗୋଟିଏ କୋଠରୀରେ ଘଣ୍ଟିଟିଏ ରଖିଲେ ଏବଂ ଅନ୍ୟ ଗୋଟିଏ କୋଠରୀକୁ ଯାଇ ଯନ୍ତ୍ରପାତି ରଖି ପରୀକ୍ଷା କଲେ । ହଠାତ୍‌ ଦେଖିଲେ ଅନ୍ୟ କୋଠରୀରେ ଘଣ୍ଟିଟି ବାଜି ଉଠିଲା । ମାର୍କୋନୀଙ୍କ ଖୁସି କହିଲେ ନସରେ । ତାଙ୍କ ବାପା ମଧ୍ୟ ଏଥିରେ ଖୁସି ହେଇ ତାଙ୍କୁ ୫୦୦୦ ଲିଗ୍‌ ପୁରସ୍କାର ଦେଲେ ।

 

ଆଉ ଦିନେ ମାର୍କୋନୀ ତାଙ୍କ ଯନ୍ତ୍ରପାତିରେ ତିଆରି ରେଡ଼ିଓ ସେଟ୍‌କୁ ନେଇ ବଗିଚାରେ ରଖିଲେ । ବଗିଚାରେ ତାଙ୍କର ବାପା ବସିଥାନ୍ତି । ଘର ଭିତରକୁ ଯାଇ ମାର୍କୋନୀ ଟିକ୍‌ ଟିକ୍‌ ଶବ୍ଦ କଲେ । ବଗିଚାରେ ଥାଇ ତାଙ୍କ ବାପା ଏ ଶବ୍ଦ ଖୁବ୍‌ ଭଲଭାବରେ ଶୁଣିପାରୁଥା’ନ୍ତି । ମାର୍କୋନୀଙ୍କର ଘର ନିକଟରେ ଗୋଟିଏ ଛୋଟିଆ ପାହାଡ଼ ଥିଲା । ପାହାଡ଼ର ଏପଟରୁ ସେପଟକୁ ଲମ୍ୱା ଦୂରତ୍ୱ ଅତିକ୍ରମ କରି ଶବ୍ଦ ପହଞ୍ଚିପାରିଲା । ଏହି ଯନ୍ତ୍ରରେ ତାର ବ୍ୟବହାର କରାଯାଏ ନାହିଁ ବୋଲି ତାକୁ ବେତାର ଯନ୍ତ୍ର କୁହାଯାଏ । ମାର୍କୋନୀ ଆହୁରି ଅଧିକ ପରିଶ୍ରମ କରି ଓ୍ୱେୟାର୍‍ଲେସ୍‌ ସେଟ୍‌ ତିଆରି କଲେ ଏବଂ ତାକୁ ଇଟାଲୀ ସରକାରଙ୍କୁ ଦେବାକୁ ଇଚ୍ଛା କଲେ । କିନ୍ତୁ ଇଟାଲୀ ସରକାର ତାକୁ ଗ୍ରହଣ କଲେ ନାହିଁ । ବାଧ୍ୟ ହୋଇ ମାର୍କୋନୀ ଇଂଲଣ୍ଡ ସରକାରଙ୍କୁ ତାଙ୍କ ଉଦ୍ଭାବିତ ଓ୍ୱେୟାରଲେସ୍ ସେଟ୍‍ଟି ଦେଲେ । ତା’ପରେ ପ୍ରାୟ ସମସ୍ତେ ମାର୍କୋନୀ ଆଉ ତାଙ୍କ ଉଦ୍ଭାବନ ବିଷୟରେ ଆଲୋଚନା କରିବାକୁ ଲାଗିଲେ । ଥରେ ଆୟରଲାଣ୍ଡ ଠାରୁ ଡବଲିନ୍‌ ପର୍ଯ୍ୟନ୍ତ ନୌଚାଳନା ପ୍ରତିଯୋଗିତା ହେଉଥାଏ । ମାର୍କୋନୀ ତାଙ୍କର ଓ୍ୱେ୍ରାରଲେସ୍‌ ସେଟ୍‌ ଦ୍ୱାରା ବେତାର ବିବରଣୀ ଦେଲେ । ଦୂରରୁ କିପରି ଖବର ଦିଆଯାଇପାରିବ ସେ ବିଷୟରେ ମାର୍କୋନୀ ଚିନ୍ତା କଲେ । ମାର୍କୋନୀଙ୍କର ଦୁଇଜଣ ସାଙ୍ଗ ନିଉଫାଉଣ୍ଡଲାଣ୍ଡ ଗଲେ । ସମୁଦ୍ରର ଅନ୍ୟକୂଳରେ ରେଡ଼ିଓ ସେଟ୍‌ଟି ପାହାଡ଼ର ଅଗ୍ରଭାଗରେ ରଖାଯାଇଥାଏ । ମାର୍କୋନୀ ଆଶାୟୀ ହୋଇ ବାରମ୍ୱାର ଘଣ୍ଟା ଦେଖୁଥାନ୍ତି । କିଛି ସମୟ ଭିତରେ ତାଙ୍କର ଜଣେ ବନ୍ଧୁ ପ୍ରାୟ ୩୦୦୦ କିଲୋମିଟର ଦୂରରୁ ବନ୍ଧୁକ ଫୁଟାଇ ସଙ୍କେତ ଦେଲେ । ତାହା ମଧ୍ୟ ଶୁଣାଗଲା ।

 

୧୯୦୯ ମସିହାରେ ପଦାର୍ଥ ବିଜ୍ଞାନରେ ନୂତନ ତଥ୍ୟ ବାହାର କରିଥିବା ହେତୁ ତାଙ୍କୁ ବିଶ୍ୱବିଖ୍ୟାତ ନୋବେଲ୍‌ ପୁରସ୍କାର ମିଳିଥିଲା ।

 

ହଁ ପିଲାମାନେ ଆମେ ଖାଲି ଗୀତ, ନାଟକ, ପାଲା, ଦାସକାଠିଆ ଶୁଣି ମନ ଆନନ୍ଦ କରୁନାହୁଁ । ଏହି ବେତାର ଯନ୍ତ୍ର ଯୁଦ୍ଧ ସମୟରେ ଅନେକ ସାହାଯ୍ୟ କରେ । ଯୁଦ୍ଧ ସମୟରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଖବର ପଠାହୁଏ । ପୃଥିବୀ ବାହାରେ ସୌରଜଗତରେ ମହାକାଶର ବିଭିନ୍ନ ଗ୍ରହ ନକ୍ଷନ୍ତ୍ର ସହିତ ଯୋଗାଯୋଗ ରକ୍ଷା କରିବା ପାଇଁ ଏଇ ବେତାର ହେଉଛି ଏକମାତ୍ର ବାଟ । ଆଚ୍ଛା କହିଲ ପିଲାଏ ଗୀତ ଶୁଣିବାକୁ, ନାଟକ ଶୁଣିବାକୁ ଏବେ କାହା ଘରେ ରେଡ଼ିଓ ନାହିଁ ?

 

ରିଙ୍କୁ ବସିଥିଲା କହିଲା ଆମ ଘରେ ପରା ଦୁଇଟା ରେଡ଼ିଓ । ଦାଣ୍ଡଘରେ ଗୋଟେ ବଡ଼ ରେଡ଼ିଓ । ଆଉ ଭାଇ ଗୋଟେ ରେଡ଼ିଓ ପକେଟରେ ରଖିଥାନ୍ତି । ତାକୁ ପକେଟ୍‌ ରେଡ଼ିଓ କହୁଛନ୍ତି । ବଡ଼ ରେଡ଼ିଓରେ ଯାହା ଆସୁଛି, ପକେଟ୍‌ ରେଡ଼ିଓରେ ମଧ୍ୟ ସବୁ ତାହା ଶୁଣାଯାଉଛି । ଏକଥା ଶୁଣି ସାର୍‌ କହିଲେ, ହଁ ପିଲାଏ ଛୋଟ ରେଡ଼ିଓ ଅଛି ବଡ଼ ରେଡ଼ିଓ ବି ଅଛି । ହେଲେ କିଛି କାହାର ସାହାଯ୍ୟ ନନେଇ ବିନା ତାରରେ ବାଜୁଥିବାରୁ ତାକୁ କହୁଚେ ବେତାରଯନ୍ତ୍ର । ଏଥର ବୁଝିଲ ତ ପିଲାଏ ଚାଲ ଯେଝା ଘରକୁ ଯେଝାଯିବା ।

☆☆☆

 

ଶୂନ ଗାଡ଼ି ଶୂନରେ ଯାଏ ଗଡ଼ି

 

ଆଇ ଆର ଘରେ ଶୋଇଥିଲେ । ଡଲି ଅପା ବହି ପଢ଼ୁଥିଲେ । ରିତା ମା’ଙ୍କ ସହ କ’ଣ ଗପୁଥିଲା କେଜାଣି, ବନୁ ଦିଆସିଲି ଖୋଳକୁ ନେଇ ଘର କରୁଥିଲା; ଆଉ ବାପୁନୁ ତା ସହ ମଧ୍ୟ ଘର କରି ଖେଳ ଖେଳୁଥିଲେ, ଆଉ ଆନନ୍ଦ ପାଉଥିଲେ ।

 

ଆଈ ପାଟିକରି ଉଠି କହିଲେ ‘‘ଆଲୋ ରିତା ତୋ ବାପାର ଶୂନୁ ଗାଡ଼ି କିଏ ଚୋର କରି ନେଇଗଲା, ଅଫିସ୍‌ରୁ ଆସିବ କେମିତି ?’’ ଆଈଙ୍କ ଏକଥା ଶୁଣି ସମସ୍ତେ ଅବାକ୍‌ ହୋଇ ଆଈଆଡ଼କୁ ନଜର ଦେଲେ । ନାତି ନାତୁଣୀମାନେ ଆଈଙ୍କ ପାଖରେ ଯାଇଁ ଫଟରେଇ ହେଲେ । ଆଈଙ୍କ କଥାକୁ ହସରେ ଉଡ଼ାଇ ଦେଲେ ଆଉ ପଚାରିଲେ ଆଈ ଶୂନ ଗାଡ଼ି କଣମ ? ଟ୍ରକ୍‌, ବସ୍‌, ଟ୍ରାମ୍‌ କଥା ଆମେତ ବହିରେ ପଢ଼ିଚୁ ହେଲେ ଶୂନ ଗାଡ଼ି କଥାତ ଆମେ ଜାଣି ନାହୁଁ କି ଦେଖି ନାହୁଁ-। ଆଈ ତମେତ ନୂଆ କଥାଟିଏ କହିଲ ହେଲେ ସେ ଗାଡ଼ି କେଉଁଠି ମିଳୁଛି ତ କହ ? ରିତା ଆଈଙ୍କ ସାଥୀରେ ଜିଗର ଲଗାଇଲା । ଆଈ ଏ ପିଲାମାନଙ୍କୁ କ’ଣ ବା ବୁଝାଇବେ । କେମିତି ବା ବୁଝାଇବେ ! ପିଲାମାନେ କିନ୍ତୁ ଏକଥା ଜାଣିବା ପାଇଁ ଭାରି ଆଗ୍ରହ କଲେ । ଆଈଙ୍କୁ ବସେଇ ଉଠେଇ ଦେଲେନି ।

 

ଆଈ ନିଜେତ କିଛି କହିପାରିବେନି , ଡଲି ଡଲି କହିପାଟି କରି ଡାକି ଉଠିଲେ ।

 

ଡଲି ଅପା ପାଠପଢ଼ା ଘରୁ ଉଠିଆସି କହିଲେ–କଣ ହେଲା ଆଈ ତମର କଣ ଦରକାର ? ଔଷଧ ଖାଇବ, ଦେବି ?

 

ଆଇ କହିଲେ ନାଇଁ ଲୋ ଡଲି ମତେ ଏ ପିଲାମାନେ ବସେଇ ଉଠେଇ ଦେଉନାହାନ୍ତି, କହିଦେ ତ ଏମାନେ କଣ ପଚାରୁଛନ୍ତି ।

 

ଡ଼ଲି ଅପା ପିଲାଙ୍କୁ ପଚାରିଗଲେ ‘‘କଣ କିରେ ପିଲେ ଆଈଙ୍କ ଦେହ ଭଲ ନାହିଁ, ତାଙ୍କୁ ଚିଡ଼ୋଉଚ କାହିଁକି ? ବାପୁନୁ ଡଲି ଅପାକୁ ନରମ ଗଳାରେ କହିଲା; ନାଇଁମ ଅପା ଆଈ କହୁଥିଲେ ଶୂନ ଗାଡ଼ି କଥା । ହେଲେ ଶୂନ ଗାଡ଼ି କଣ ?

 

ଓଃ ଏଇକଥା ! ତୁମେ ବସ ତୁମମାନଙ୍କୁ ମୁଁ ଶୂନ୍‌ ଗାଡ଼ି ବିଷୟରେ କହୁଛି ଶୁଣ !

 

ଶୂନ୍‌ଗାଡ଼ି କେମିତି ଚାଲିଛି ତମେତ ଜାଣ ! ଶୂନରେ ଚାଲୁଥିବାରୁ ତାର ନାମ ଶୁନ ଗାଡ଼ି-। ଶୂନ ଗାଡ଼ିରେ କଣ ପେଟ୍ରୋଲ ଦରକାର ହୁଏ ? ନା ବିଜୁଳି ଲାଗେ ନା ବେଟେରୀ ଦ୍ୱାରା ଚାଲେ-। ଦୁଇଟି ଚକା ଆଉ ପେଟେ ପବନ ପୁରାଇ ସେ ଲୋକଙ୍କୁ ନେଇ କେତେ ବାଟ ବୁଲି ଆସେ-। ପବନ ନଖାଇଲେ ସେ ଚାଲିବ କେମିତି କହିଲ ? ରିତା ଟିକିଏ ଚାଲାକ ଥିଲା, କହିଲା ଡଲି ଅପା ତମେ ସାଇକେଲକୁ ଶୂନଗାଡ଼ି କହୁ ନାହିଁ ତ ?

 

ଡଲି ଅପା ଟିକିଏ ହସି ପିଲାମାନଙ୍କୁ କହିଲେ; ହଁ ତ ! ସାଇକେଲ ତ ଶୂନ ଗାଡ଼ି !

 

ବାପୁନ୍‌ କହିଲା, ପୃଥିବୀକୁ ଭଗବାନ ତିଆରି କରିଛନ୍ତି । ତାହା ହେଲେ ସାଇକେଲକୁ ଭଗବାନ ତ ତିଆରି କରିଥିବେ ? ବାପୁନ୍‌ର କଥାରେ ଡଲି ଅପା ସହ ସମସ୍ତେ ହସିଉଠିଲେ । ସମସ୍ତେ ହସିବା ଦେଖି ବାପୁନ୍‌ ଛାଡ଼ିବା ପିଲା ନୁହେଁ , ସାଇକେଲ କିଏ ତିଆରି କରିଛି ବୋଲି ପୁଣି ପଚାରି ବସିଲା ବାପୁନ୍‌ ।

 

ବାପୁନ୍‌ର କଥାକୁ ଟାଳିଦେବେ କେମିତି ଡଲି ଅପା–

 

ଡଲି ଅପା କହିଚାଲିଲେ–

 

ତମଠାରୁ ଛୋଟ ବୟସର ପିଲାମାନେ ତିନିଚକିଆ ସାଇକେଲ ଚଢ଼ୁଛନ୍ତି । ବଡ଼ଲୋକମାନେ ଦୁଇଚକିଆ ସାଇକେଲ ଚଳାନ୍ତି । ସାଇକେଲ ଚଢ଼ି ବହୁତ ଦୂର ଯାଏ ଆରାମରେ ଯାଇ ହୁଏ ଆଉ ବେଶି କଷ୍ଟ ମଧ୍ୟ ହୁଏ ନାହିଁ । ଆଜିକାଲି ତମେ ଦେଖୁଥିବ ସ୍କୁଲ କଲେଜ ଯାଉ ଥିବା ପିଲାମାନେ ବେଶୀ ସାଇକେଲ ଚଢ଼ୁଛନ୍ତି ।

 

ଏଇ ସାଇକେର ପ୍ରଥମେ ଇଂଲଣ୍ଡରେ ବାହାରିଥିଲା । ପ୍ରଥମେ ଯେତେବେଳେ ସାଇକେଲ ବାହାରିଲା ତାର କିଛି ନଥିଲା । ବ୍ରେକ୍‌ ନଥିଲା, ଧରିବା ପାଇଁ ହାଣ୍ଡଲ ନଥିଲା, ଚଳେଇବା ପାଇଁ ପେଡ଼ାଲ ମଧ୍ୟ ନଥିଲା । ଯିଏ ସାଇକେଲ ଚଢ଼ଉଥିଲା ଖାଲି ସିଟ୍‌ରେ ବସି ଗୋଡ଼ରେ ପେଲି ପେଲି ସାଇକେଲ ଚଳଉଥିଲା । ଏମିତି ପାଦରେ ପେଲି ପେଲି କାଠ ସାଇକେଲ ଚଳେଇବାକୁ ବହୁତ କଷ୍ଟ ମଧ୍ୟ ହେଉଥିଲା । ଗୋଟିଏ ଚକ ଛୋଟ, ଗୋଟିଏ ଚକ ବଡ଼ ଥିଲା । ଛୋଟ ହ୍ୟାଣ୍ଡେଲ ଚାପି ଧରି ବସିବାକୁ ମଧ୍ୟ କଷ୍ଟ ହେଉଥିଲା । ତେଣୁ ଆଗ ଚକରେ ପେଡ଼ାଲ ଲଗାଇ ଦେବାରୁ ଧୀରେ ଧୀରେ ଚଲେଇବାକୁ ସୁବିଧା ହେଲା, କିନ୍ତୁ ସାଇକେଲଟି ଦେଖିବାକୁ ଭାରି ଅସୁନ୍ଦର ଲାଗଲା । ତାପରେ ଛୋଟ ବଡ଼ ଚକ ହେବାରୁ ଚଳେଇବାକୁ ମଧ୍ୟ ଅସୁବିଧା ହେଉଥିଲା ।

 

ଏସବୁ ଅସୁବିଧା ହେବାରୁ ମ୍ୟାକ୍‌ ମିଲାନ ନାମକ ଜଣେ ବ୍ୟକ୍ତି ଗୋଟିଏ ନୂଆ ପ୍ରକାରର ସାଇକେଲ ତିଆରି କଲେ । ସାଇକେଲ ଚଢ଼ାଳୀ ବସିବା ପାଇଁ ସିଟ୍‌, ଧରିବାପାଇଁ ହ୍ୟାଣ୍ଡେଲ, ପୁଣି ଚଳେଇବାକୁ ସୁବିଧା ହେଲାଭଳି ପେଡ଼ାଲ୍‍ ତିଆରି କଲେ । ହେଲେ ଆଗ ଚକର ଅଖ ଅଢ଼େଇ ଫୁଟ ହେଲା ବେଳକୁ ପଛ ଚକର ଅଖର ବ୍ୟାସ ଜମା ନଅଇଞ୍ଚ ଥିଲା । କେତେଜଣ ଏଭଳି ସାଇକେଲ ସଉକରେ ଚଳଉଥିଲେ । ଚଳେଇବାକୁ ମଧ୍ୟ ମଜାଲାଗୁ ଥିଲା ତାପରେ ଧୀରେ ଧୀରେ ଚକାଅଖ ସବୁ ଲୁହା ତାରରେ ତିଆରି କରାଗଲା । ହାଲୁକା ହେବାରୁ ଚକ ସୁବିଧାରେ ଗଡ଼ିପାରିଲା । ଜେ .ବି ଡନଲପ୍‌ ନାମରେ ଜଣେ ବ୍ୟକ୍ତି ରବର ଚକରେ ପବନ ପୂରେଇ ଚଳେଇବାକୁ ଚେଷ୍ଟା କଲେ । ସେଗୁଡ଼ିକୁ ଟାୟାର କୁହାଗଲା । ତାପରେ ସାଇକେଲ ତିଆରି କରାଯାଇପାରିଲା । ସେଇ ସାଇକେଲ ବର୍ତ୍ତମାନ ନୂଆ ପ୍ରକାର ଯନ୍ତ୍ରପାତି ଲଗାଇ ସୁନ୍ଦର କରି ବ୍ୟବହାର କରାଯାଉଛି । ଆମେ ଦେଶରେ ୧୯୩୮ ମସିହାରେ କଲିକତାଠାରେ ସାଇକେଲ ତିଆରି କରାଗଲା । ଏବେ ଜଳନ୍ଧର, ଲୁଧିଆନା, ଦିଳ୍ଲୀ, ସେନୋପାଟ୍‌ ଆଉ ବମ୍ୱେରେ ସାଇକେଲ ତିଆରି କାରଖାନା ଅଛି । ଭାରତରୁ ବିଭିନ୍ନ ପ୍ରକାର ସାଇକେଲ ତିଆରି କରାଯାଇ ବିଦେଶକୁ ପଠାଯାଉଛି ।

 

ଏଇ ସାଇକେଲକୁ ଦେଖି ଏବେ ବିଭିନ୍ନ ପ୍ରକାରର ମଟର ସାଇକେଲ ମଧ୍ୟ ତିଆରି କରାଗଲାଣି । ଯାହା ଡିଜେଲ୍‌ ଆଉ ପେଟ୍ରୋଲ୍‌ ଦ୍ୱାରା ଚାଲିପାରୁଛି । ଲୋକମାନେ ସହଜରେ ଦୂର ଦୂରାନ୍ତକୁ ଯାଇ ଖୁବ୍‌ ଶୀଘ୍ର କାମସାରି ଘରକୁ ଫେରି ଆସୁଛନ୍ତି ।

 

ବିଜ୍ଞାନ ଉନ୍ନତି କଲାଣି ସତ ହେଲେ ପେଟ୍ରୋଲ ଡ଼ିଜେଲ ଯେତେବେଳେ ନ ମିଳୁଛି, ରାସ୍ତା ଘାଟରେ ସାଇକେଲ ବ୍ୟବହାର ବଢ଼ିଯାଉଛି ।

 

ବିନା ଖର୍ଚ୍ଚରେ ଯିବା ଆସିବାର ସୁବିଧା ହେଉଛି ଏଇ ଶୂନଗାଡ଼ି । ଏବେ ଜାଣିଲତ ଶୂନ ଗାଡ଼ି କଣ ? ଏକଥା ଶୁଣି ପିଲାମାନେ ଭାରି ଖୁସି ହୋଇିଗଲେ ।

 

ଏତିକିବେଳକୁ ବାପା ଫେରିଆସିଲେ ଅଫିସରୁ । ତାଙ୍କର ସାଇକେଲ ଦେଖି ବାପୁନ୍‌ ଖୁସିହୋଇ ପଡ଼ିଲା; କହିଲା; ‘‘ବାପା ତୁମ ସାଇକେଲ ମିଳିଗଲା ?’’

 

ବାପା କହିଲେ ହଁ–ଜଣେ ସାଙ୍ଗ ନେଇ ଯାଇଥିଲା ।

 

ବୁଢ଼ି ପାଟିକରି ଉଠିଲେ କିରେ ରମେଶ ତୋ ଶୂନୁ ଗାଡ଼ି ମିଳିଗଲା ତ ?

 

ରମେଶବାବୁ ହଁ କହିଦେଇ ସାଇକେଲକୁ ଯଥାସ୍ଥାନରେ ରଖି ଚାବି ପକାଇଦେଲେ ।

☆☆☆

 

କଥା ଆସେ ତାରରେ

 

ପାରା ବି ଗୋଟିଏ ଜାଗାରୁ ଖବର ଆଣି ଆଉ ଗୋଟିଏ ଜାଗାରେ ଦେଇପାରୁଛି । ମାମୁଁଙ୍କ ଠାରୁ ଗିରୀଶ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା । ଗିରୀଶର ମାମୁଁ ପୋଲିସ୍‌ ବିଭାଗରେ ଜଣେ ବଡ଼ ଅଫିସର । ଥରେ ପୋଲିସ୍‌ ବିଭାଗର ବଡ଼ ଅଫିସକୁ ମାମୁଁଙ୍କ ସାଙ୍ଗେ ବୁଲିଯାଇଥିଲା । ଦେଖିଲା, କେତେଗୁଡ଼ିଏ ଭଲ ଭଲ କୁକୁର ବନ୍ଧାଯାଇଛନ୍ତି । ମାମୁଁଙ୍କୁ ପଚାରିଲା, ଗିରୀଶ ମାମୁଁ କହିଲେ ଏ କୁକୁରମାନେ ଭାରି ଚାଲାଖ । ଏମାନେ ବି ଚୋର ଧରିବାରେ ଆମକୁ ସାହାଯ୍ୟ କରନ୍ତି-। ଗିରୀଶ ଭାବିଲା ମଣିଷକୁ ସବୁବେଳେ ପଶୁପକ୍ଷୀ ସାହାଯ୍ୟ କରିଆସୁଛନ୍ତି । କୁକୁର କୁଆଡ଼େ ମଣିଷର ପ୍ରଥମ ସାଥି । ସେ ପୁଣି ଚୋରକୁ ଧରାଇଦେଉଚି । ଯେମିତି ପାରା ସବୁ ଖବର ନେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାରେ ଦେଇ ଆସୁଚି । କମ୍‌ ବାହାଦୂରୀ କାମ କରୁନି ପାରା ସତରେ-

 

ମାମୁଁଙ୍କ ସଙ୍ଗେ କଥାବାର୍ତ୍ତା କରୁଚି ଗିରୀଶ । ହଠାତ୍‌ ଜଣେ ଲୋକ ଆସି ଗୋଲାପୀ କାଗଜରେ ଗୋଟିଏ ଚିଠି ଧରାଇଦେଲା–

 

ମାମୁଁ ସେଇଟିକୁ ପଢ଼ିଯାଉଥିଲେ–

 

ମାମୁଁଙ୍କୁ ପଚାରି କହିଲା ଗିରୀଶ, ମାମୁଁ ସେଇ କାଗଜଟା କଣ ?

 

ମାମୁଁ କହିଲେ ଏଇଟା ହେଉଚି ଟେଲିଗ୍ରାଫ୍‌ ଏଥିରେ ମୋର ଜଣେ ସାଙ୍ଗ ଆଜି ଦିଲ୍ଲୀରୁ ଆସି ପହଞ୍ଚିବ ବୋଲି ଲେଖିଜଣାଇଛି । ତାଙ୍କର ପୁଅ ଝିଅ ଆସୁଛନ୍ତି । ମୁଁ ଗାଡ଼ି ନେଇଯିବି, ତାଙ୍କୁ ଷ୍ଟେସନରୁ ମୋ ବସାକୁ ଆଣିବି । ସେ ସାଙ୍ଗ ଜଣକ ପଞ୍ଜାବୀ ତ ସେ କଟକରେ ମୋ ଘର ଖୋଜି ପାଇବେନି ଆଉ ସେଇଥିପାଇଁ ମୋତେ ଆଗରୁ ଜଣାଇଦେଲା । ମୋତେ ଯିବାକୁ ହେବ । ସାଙ୍ଗେ ସାଙ୍ଗେ ଘରୁ ନିଜେ ଫୋନ୍‍ କଲେ ଷ୍ଟେସନ୍‍କୁ ନୀଳାଚଳ ଏକ୍ସପ୍ରେସ୍‌, ଠିକ୍‌ ସମୟରେ ଆସୁଚି କି ? ସେପଟୁ ଖବର ଆସିଲା ଦୁଇଘଣ୍ଟା ବିଳମ୍ୱରେ ଆସିବ । ତେଣୁ ଗିରୀଶର ମାମୁଁଙ୍କର ଦୁଇଟାବେଳକୁ ଯିବାର ଥିଲା ସେ ସାଢ଼େ ତିନିଟାବେଳେ ବାହାରିଲେ । ଗିରୀଶ କିନ୍ତୁ ଏ କଥା ଭାବୁଥାଏ ଯେ ମାମୁଁ କେତେ ଶୀଘ୍ରସବୁ ଯୋଗାଡ଼ କରିଦେଲେ । ଏହି ସମୟରେ ଗିରୀଶ ମାମୁଁପୁଅ ଭାଇ ରମାକାନ୍ତ ଆସିଲେ । ଗିରୀଶ ମାମୁଁଙ୍କୁ ଆଉ ପଚାରିପାରିଲାନି କାରଣ ମାମୁଁ ବ୍ୟସ୍ତ ଥିଲେ । ରମାକାନ୍ତ ବାବୁଙ୍କ ପାଖକୁ ଦଉଡ଼ିଯାଇ ସେହି ଗୋଲାପୀ କାଗଜ ଧରି କହିଲା ରମାଭାଇ ଏଇଟା ଦେଖତ କଣ ?

 

ରମାକାନ୍ତ ବାବୁ ହଠାତ୍ ଚମକି ପଡ଼ି କହିଲେ–ଏଇଟାତ ଟେଲିଗ୍ରାମ !

 

ତାପରେ ଗିରୀଶ ପ୍ରଶ୍ନ କଲା ଆଚ୍ଛା ରମାଭାଇ ମତେ ଏଇ ଟେଲିଗ୍ରାମ ବିଷୟରେ ବୁଝେଇଦେଲ । ଗିରୀଶର କଥା ରମାକାନ୍ତ ବାବୁ ଏଡ଼େଇ ଦେବ କେମିତି ? ତାକୁ ପାଖରେ ବସାଇ କହିଲେ–

 

ଗୋଲାପୀ କାଗଜରେ ଟେଲିଗ୍ରାମ ଆସିବା କଥା ତୁ ତ ଦେଖିଲୁ । ତାପରେ ରାସ୍ତାରେ, ଘରେ, ପୋଷ୍ଟ ଅଫିସ୍‌ରେ ଟେଲିଫୋନ୍‍ ମଧ୍ୟ ଦେଖିଥିବୁ । ଟେଲିଫୋନ୍‍ ଖୁଣ୍ଟତାର ରାସ୍ତାରେ ବିଦ୍ୟୁତ୍‌ ତାରର ପାଖେପାଖେ ଯାଇଥାଏ । ସେଇ ତାର ଦ୍ଵାରା ଆମେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖବର ପଠାନ୍ତି । ଦୂରକୁ ଖବର ଲେଖି ପଠାଇବାକୁ ଟେଲିଗ୍ରାଫି କହନ୍ତି ।

 

କିନ୍ତୁ ଦୁଇହଜାର ବର୍ଷ ପୂର୍ବରୁ ଖବର ଏପରି ଦୂରକୁ ପଠାଯାଇପାରୁନଥିଲା । ଦୂରକୁ ଏପରି ଖବର ପଠେଇବା ଥିଲା ଗୋଟିଏ ସ୍ୱପ୍ନ । କେବଳ ଯାହା ଚିଠି ମାଧ୍ୟମରେ ତାଳପତ୍ର, କନା ଉପରେ ଲେଖି ଜଣେ ଲୋକଦ୍ୱାରା ପଠାଯାଉଥିଲା । ପୁଣି ଖବର ପହଞ୍ଚିବାକୁ ବହୁତ ଦିନ ଲାଗୁଥିଲା । ରାସ୍ତାରେ କିଛି ଅସୁବିଧା ହେଲେ ଖବର ପହଞ୍ଚି ମଧ୍ୟ ପାରୁନଥିଲା । ତେଣୁ ଗୋଟିଏ ସ୍ଥାନରୁ ଘଣ୍ଟା ବଜେଇ ଜୋର ଶବ୍ଦକରି କିମ୍ୱା ବନ୍ଧୁକ ଫୁଟାଇ ସଙ୍କେତ ଦିଆଯାଉଥିଲା । ଏବେ ମଧ୍ୟ ଆଫ୍ରିକାର ଆଦିବାସୀମାନେ ଜଙ୍ଗଲ ଭିତରକୁ ଗଲେ ବାଜା ବଜେଇଥାନ୍ତି । ଗୋଟିଏ ପାହାଡ଼ ଉପରକୁ ଖବର ପଠାଇବା ପାଇଁ ଦର୍ପଣ ବ୍ୟବସ୍ଥା କରାଯାଇଥାଏ । ପାଣି ଜାହାଜରେ ପତାକା ହଲାଇ ସଙ୍କେତ ଦିଆଯାଏ । କିନ୍ତୁ ଏଗୁଡ଼ିକ କମ୍‌ ଦୂରତ୍ୱରେ ଥିବା ସ୍ଥାନକୁ ସଙ୍କେତ ଦିଆଯାଇପାରିବ । ବର୍ଷା ହେଲେ କିମ୍ୱା ମେଘୁଆ ପାଗ ହେଲେ ଏଗୁଡ଼ିକ ଉପରେ ନିର୍ଭର କରି ହୁଏ ନାହିଁ ।

 

ବିଜୁଳିରୁ ବିଦ୍ୟୁତ୍‌ ଉତ୍ପନ୍ନ ହେବା କଥା ପ୍ରାୟ ସମସ୍ତେ ଜାଣନ୍ତି । ସେଥିରେ ସଙ୍କେତ ଦେବାପାଇଁ ଅନେକ ଲୋକ ଚେଷ୍ଟା କରିଥିଲେ । ଶେଷରେ ଆମେରିକାର ସାମୁଏଲ ଏଫ୍‌.ବି.ମୋର୍ସ ନାମକ ଜଣେ ବ୍ୟକ୍ତି ପ୍ରଥମେ ଟେଲିଗ୍ରାଫ୍‌ ଯନ୍ତ୍ର ବାହାର କଲେ ସେଥିରେ ଯେଉଁସବୁ ଅକ୍ଷର ଲେଖାଗଲା ସେଗୁଡ଼ିକୁ ‘‘ମୋର୍ସ କୋର୍ଡ’’ କହନ୍ତି । ସାମୁଏଲ ମୋର୍ସ ୧୭୯୧ ମସିହାରେ ଆମେରିକାର ଚାର୍ଲସ ଟାଉନରେ ଜନ୍ମଗ୍ରହଣ କରିଥିଲେ । ଆଶ୍ଚର୍ଯ୍ୟର କଥା ଯେ ସେ ଜନ୍ମରୁ ଜଣେ ଚିତ୍ରକର ଥିଲେ ଏବଂ ଜଣେ କଳା ପ୍ରଫେସର ଭାବେ ନିୟୁୟର୍କଠାରେ ଚାକିରୀ କରୁଥିଲେ । ତାପରେ ଚାକିରୀ ଛାଡ଼ି ବିଦ୍ୟୁତ୍‌ ଏବଂ ଯାନ୍ତ୍ରିକ ଶକ୍ତିର ଉଦ୍ଭାବନରେ ବ୍ୟସ୍ତ ରହିଲେ ତାଙ୍କ ନିକଟରେ ଏତେ ସମ୍ୱଳ ମଧ୍ୟ ନଥିଲା । ତେଣୁ ତାଙ୍କ ଉଦ୍ଭାବନକୁ ସଫଳ କରିବା କଷ୍ଟ ହେଉଥିଲା । ଶେଷରେ ୧୮୪୩ ମସିହାରେ ଆମେରିକା ସରକାରଙ୍କଠାରୁ ସାହାଯ୍ୟ ପାଇ ଓ୍ୱାଶିଂଟନ୍‌ ଡି.ସି.ଠାରୁ ବାଲ୍‌ଟିମୋର ପର୍ଯ୍ୟନ୍ତ ଗୋଟିଏ ଟେଲିଗ୍ରାଫ୍‌ ଯୋଗାଯୋଗ କରିପାରିଲେ । ୧୮୪୪ ମସିହା ମେ ୨୪ ତାରିଖରେ ଓ୍ୱାଶିଂଟନ୍‌ରୁ ବାଲ୍‌ଟିମୋର ପର୍ଯ୍ୟନ୍ତ ଗୋଟିଏ ଟେଲିଗ୍ରାଫ୍‌ ଖବର ପଠାଇଲେ ମୋର୍ସକୋର୍ଡ଼ରେ ଖାଲି ବିନ୍ଦୁଗାର ଏଇଭଳି ସଙ୍କେତ ଦିଆଯାଇଥିଲା । ସ୍ଥଳ ଭାଗରେ ଖବର ପଠେଇବା ପାଇଁ ଟେଲିଗ୍ରାଫ୍‌ ଖୁଣ୍ଟ ଦରକାର ହେଲା, କିନ୍ତୁ ସମୁଦ୍ର ଉଦରେ ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଖବର ପଠାଯିବ କେମିତି? ସେଥିପାଇଁ କେବଳ ତାର ବାହାରିଲା । କେବଳ ତାରକୁ ଗୁଡ଼ାଇ ଗୋଟିଏ ଡଙ୍ଗାରେ ବାନ୍ଧି ରଖାଗଲା, ତାପରେ ଧୀରେ ଧୀରେ ସମୁଦ୍ର ତଳେ ଅକ୍ଷତ ଅବସ୍ଥାରେ ପକାଇ ଦିଆଗଲା । ପୃଥିବୀର ସବୁ ଦେଶକୁ ଖବର ପଠାଯିବାର ବ୍ୟବସ୍ଥା କରାଗଲା ।

 

କିନ୍ତୁ ବୈଜ୍ଞାନିକାମାନେ ଭାବିଲେ ଏପରି ସଙ୍କେତ ନଦେଇ ଯଦି ଖବର ପଠାଉଥିବା ଲୋକ ନିଜ ସ୍ୱରରେ ଖବର ପଠାନ୍ତେ ତାହେଲେ କେମିତି ହୁଅନ୍ତା ? ତାପରେ ଆମେରିକାରେ ରହୁଥିବା ସ୍କଟଲାଣ୍ଡର ଜଣେ ବ୍ୟକ୍ତି ଆଲେକ୍‌ଜାଣ୍ଡାର ଗ୍ରାହାମବେଲ୍‌ ଗୋଟିଏ କଥାକୁହା ଯନ୍ତ୍ର ଉଦ୍ଭାବନ କଲେ । ଯେଉଁଥିରେ କଥାଗୁଡ଼ିକ ତାର ମାଧ୍ୟମରେ ଗଲେ । ତାକୁ ଟେଲିଫୋନ୍‌ କୁହାଗଲା ।

 

ଆଲେକ୍‌ଜାଣ୍ଡାର ଗ୍ରହାମ୍‌ବେଲ୍‌ ୧୯୪୭ ମସିହାରେ ସ୍କଟଲାଣ୍ଡର ଏଡ଼ିନ୍‌ବର୍ଗଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାପା ଜଣେ ବୈଜ୍ଞାନିକ ଥିଲେ । ତେଣୁ ପିଲାଦିନରୁ ସେ ମଧ୍ୟ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇଥିଲେ ।

 

୧୮୭୬ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ଷ୍ଟେସନରେ ଗ୍ରାହାମ୍‌ବେଲ୍‌ ଆଉ ତାଙ୍କର ସହକାରୀ ଟମାସ୍‌ ଓ୍ୱାଟସନ ପ୍ରଥମେ ବୁଝିପାରିଲା ଭଳି ଗୋଟିଏ ଧାଡ଼ି କହିଲେ । ସେହି ଧାଡ଼ିଟି ଥିଲା ‘‘ଓ୍ୱାଟସନ ଏଠିକି ଆସ ! ମୁଁ ତୁମକୁ ଚାହେଁ ।’’

 

ତାପରେ ସେଇ ଟେଲିଫୋନ୍‌କୁ ଉନ୍ନତଧରଣର କରାଗଲା । ହଜାର ହଜାର କିଲୋମିଟର ଦୂରରୁ ମଧ୍ୟ କଥା ସ୍ପଷ୍ଟ ଶୁଭିଲା । ବର୍ତ୍ତମାନ ଘରେ, ଅଫିସରେ ଯେଉଁଠି ଦେଖିବ ଟେଲିଫୋନ୍‍ । ଏବେ ଏପରି ଟେଲିଫୋନ୍‌ ବାହାରିଲାଣି ଯେ ଆରପଟରୁ କଥା କହୁଥିବା ବ୍ୟକ୍ତିକୁ ମଧ୍ୟ ଦେଖିହେଉଛି । ସେଇ ଟେଲିଫୋନ୍‍କୁ ଭିଡ଼ିଓ ଟେଲିଫୋନ୍‍ କହୁଛନ୍ତି । ଆଜିକାଲି ଟେଲିଫୋନ୍‍ର ବ୍ୟବସ୍ଥା ସାରା ପୃଥିବୀରେ ରହିଛି । ଯେ କୌଣସି ସ୍ଥାନରେ ଏସ୍‌.ଟି.ଡ଼ି ସୁବିଧା ଯୋଗାଇ ଦିଆଯାଇପାରୁଛି । ହସ୍ତଚାଳିତ ଟେଲିଫୋନ୍‍ କେନ୍ଦ୍ରଗୁଡ଼ିକୁ ଡ଼ିଜିଟାଲ୍‍ ଇଲେକ୍‌ଟ୍ରୋନିକ୍‌ କେନ୍ଦ୍ରରେ ବଦଳାଇ ଦିଆଯାଇ କମ୍ପ୍ୟୁଟର ଦ୍ୱାରା ନିୟନ୍ତ୍ରଣ କରାଯାଉଛି । ସମୁଦ୍ରରେ କେବଲ୍‌ ଦ୍ୱାରା, କୃତ୍ରିମ ଉପଗ୍ରହ ଦ୍ୱାରା ଦୂର ଦେଶକୁ ପଠାଯାଇପାରୁଛି ।

 

ହଁ ଗିରୀଶ ଆମେତ ଦୂରକୁ ଫୋନ କରି କଥାବାର୍ତ୍ତା ହେଇପାରୁଛନ୍ତି । ତାଙ୍କୁ କିନ୍ତୁ ଦେଖିପାରୁନାହାନ୍ତି । ଆଉ କିଛିଦିନ ପରେ ଆମେ ମଧ୍ୟ ଆମ ସାଙ୍ଗରେ କଥା ହେଉଥିବା ଲୋକମାନଙ୍କୁ ଦେଖିପାରିବା ।

 

ଏତିକିବେଳେ ଗିରୀଶର ମାମୁଁ ତାଙ୍କର ସାଙ୍ଗ ଏବଂ ପିଲାମାନଙ୍କୁ ଧରି କାର୍‌ରେ ଘରପାଖରେ ପହଞ୍ଚିସାରିଥିଲେ ।

☆☆☆

 

ଉଡ଼ାଜାହାଜ ନୁହେଁ କିନ୍ତୁ ଉଡ଼ାଜାହାଜ ପରି

 

ମନୁଷ୍ୟର ପକ୍ଷୀ ଭଳି ଡେଣା ନାହିଁ ଯେ ସେ ଯେତେବଳେ ଚାହିଁବ ସେତେବେଳେ ଆକାଶରେ ଉଡ଼ିପାରିବ । ତଥାପି ଆକାଶରେ ଉଡ଼ିବା ପାଇଁ ତାର ପ୍ରବଳ ଇଚ୍ଛା । ପୁରାଣ କାହାଣୀରେ ଦେବତାମାନେ ଓ ରାଜାମାନେ ଆକାଶରେ ବିମାନ ଯୋଗେ ବୁଲିବା କଥା ବର୍ଣ୍ଣନା ରହିଛି । ରାମାୟଣ ଓ ମହାଭାରତ କାହାଣୀରେ ମଧ୍ୟ ଏ ବିମାନ କଥା କୁହାଯାଇଛି । ଯେତେବେଳେ ଲଙ୍କାର ରାଜା ରାବଣ ମାୟା ପକାଇ ବାବାଜୀ ବେଶରେ ପଞ୍ଚବଟୀରୁ ସୀତାଙ୍କୁ ଚୋରାଇ ନେଲା ସେ ଆକାଶ ବାଟ ଦେଇ ଯାଇଥିଲା । ତାର ତ ଡେଣା ନଥିଲା, କିନ୍ତୁ ସେ ଗଲା କେମିତି ? ତାର ଗୋଟିଏ ବିମାନ ଥିଲା, ନାଁ ତାର ପୁଷ୍ପକ ବିମାନ । ସେଇଥିରେ ସୀତାଙ୍କୁ ବସାଇ ନେଉଥିବାର କଥା ଜଟାୟୁ ଜାଣିଥିଲା । ପୁରାଣଯୁଗର ବିମାନ କଥା ଆଜି ଯେମିତି ସତ ହୋଇଯାଇଛି । ଆଜି ମଣିଷ ସହଜରେ ଆକାଶରେ ଉଡ଼ିବୁଲି ପାରୁଛି । ହେଲେ ଆଶ୍ଚର୍ଯ୍ୟର କଥା ତାର ଡେଣା କିନ୍ତୁ ନାହିଁ ତାର ଉଡ଼ିବାର ଗତି ଏତେ ଚଞ୍ଚଳ ଯେ ବଡ଼ ବଡ଼ ପକ୍ଷୀମାନେ ତା ସହିତ ତାଳଦେଇ ଉଡ଼ିପାରିବେ ନାହିଁ । ଏହା କିନ୍ତୁ ମଣିଷର ବୁଦ୍ଧି ଓ ପରିଶ୍ରମର ଫଳ ।

 

କେବଳ ଆକାଶ ନୁହେଁ ଅନ୍ତରୀକ୍ଷକୁ ମଧ୍ୟ ସେ ସହଜରେ ଯାତ୍ରା କରିପାରୁଛି । ମଣିଷ କ’ଣ ଦିନକରେ ଏକଥା ଚିନ୍ତା କରି ବିମାନଟିଏ ତିଆରି କରି ଆକାଶରେ ଉଡ଼ିବାକୁ ଲାଗିଲା ? ଗପୁ ଗପୁ ସୁନ୍ଦରୀ ମାଉସୀ ଲିଲିକୁ ପଚାରିଲେ । ଲିଲିତ କାହାଣୀ ଶୁଣୁଥିଲା, ସେ ଭାବିଥିଲା ସୁନ୍ଦରୀ ମାଉସୀ ଅସୁର ଅସୁରୁଣୀ କାହାଣୀ କହିବେ ବୋଲି । କିନ୍ତୁ ତାକୁ ଯେଉଁ ପ୍ରଶ୍ନ ପଚାରିଲେ ସେ ଟିକେ ଡରିଯାଇ ମାଉସୀଙ୍କ ମୁହଁକୁ ଚାହିଁରହିଲା । ସୁନ୍ଦରୀ ମାଉସୀ ଲିଲିକୁ ବୁଝାଇ କହିଲେ–ବୁଝିଲୁ ଲିଲି ଆଜକୁ ପ୍ରାୟ ଦୁଇଶହବର୍ଷ ତଳର କଥା । ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ଦୁଇଜଣ ଭାଇ ରହୁଥିଲେ । ତାଙ୍କ ନାଁ ଥିଲା ଯୋଷେଫ୍‌ ଓ ଷ୍ଟିଫେନ୍‌ । ଦିନକର ଦୁଇଜଣ ଏକାଠି ବସି ଖାଉଥିଲେ । ଠିକ୍‌ ସେଇ ସମୟରେ ତାଙ୍କର ମା’ ଫୁଙ୍କୁନଳୀରେ ଚୁଲି ଫୁଙ୍କୁଥିଲେ ଏବଂ ଚୁଲା ଉପରୁ ଧୂଆଁ ବାହାରି ଉପରକୁ ଉପରକୁ ଉଠିଯାଉଥିଲା । ଯୋଷେଫ୍‌ ଏହା ଦେଖି ଖୁବ୍‌ ଆନନ୍ଦିତ ହୋଇଗଲେ । ଅତି ଆନନ୍ଦରେ ସେ କହି ଉଠିଲେ ‘‘ଦେଖ ଧୂଆଁ ବି ଉପରେ ଉଡ଼ିପାରେ ।’’ ସେଦିନ ଦୁଇଭାଇ ଭାବିଲେ ଯଦି ଲଫାଫା ଭିତରେ କିଛି ଧୂଆଁ ପୁରାଇ ତାକୁ ବନ୍ଦକରି ଝାଡ଼ିଦିଆଯାଏ ତେବେ ନିଶ୍ଚୟ ତାହା ଉପରକୁ ଉଠିଯିବ । ସେମାନେ ତାହାହିଁ କଲେ । ଧୂଆଁ ପୂରିଯିବା ଲଫାଫାଟି ଉପରେ ଉଡ଼ିବାକୁ ଲାଗିଲା ଓ ଘରର ଛାତରେ ବାଜି ରହିଗଲା । ୧୭୮୩ ମସିହାରେ ଦୁଇଭାଇ ଗୋଟିଏ ବଡ଼ ବେଲୁନ ବନ୍ଧା ଯାଇଥିବା ଖମ୍ୱ ନିକଟରେ ଛିଡ଼ାହୋଇଥିଲେ । ବେଲୁନ ତଳେ ବନ୍ଧାଯାଇଥିବା ଟୋକେଇଟିରେ କେତେକ କୁରୁର ବତକ ଆଉ ମେଣ୍ଢା ଥିଲେ । ତା ପାଖରେ ଲୋକେ ଛିଡ଼ାହୋଇ ମଜା ଦେଖୁଥିଲେ । ଏଇ ବେଲୁନ ଆଠ ମିନିଟ୍‌ କାଳ ବୁଲିଛି କି ନାହିଁ ଗୋଟିଏ ଗଛରେ ଯାଇଁ ପିଟି ହୋଇଗଲା । ଯୋଉ ଦଉଡ଼ିରେ ଟୋକେଇ ବନ୍ଧା ଯାଇଥିଲା ତା ଛିଣ୍ଡିଗଲା । ବତକ, କୁକୁଡ଼ା ଓ ମେଣ୍ଢାଗୁଡ଼ିକ ତଳେ ପଡ଼ିଗଲେ । ଏମିତି ମଜାକଥା ଶୁଣି ଲିଲି ହସିବାରେ ଲାଗିଥାଏ । ମାଉସୀ କହିଲେ ହସୁଛ କଣ ? ସେ ଟୋକେଇରେ ଥିବା କୌଣସି ଯାତ୍ରୀଙ୍କର କିଛି ହେଲା ନାହିଁ, ହେଲେ ତାଙ୍କ ଭିତରୁ ଗୋଟିଏ କୁକୁଡ଼ାର ଡ଼େଣା କେବଳ ଭାଙ୍ଗିଯାଇଥିଲା । ଏହାର ଠିକ୍‌ ଦୁଇମାସ ପରେ ଗୋଟିଏ ମସ୍ତବଡ଼ ବେଲୁନକୁ ଉଚ୍ଚଜାଗାରେ ଦଉଡ଼ିରେ ବାନ୍ଧିଦିଆଗଲା । ତା’ ତଳେ ନିଆଁ ଜଳାଗଲା । ଧୂଆଁ ବେଲୁନ୍‍ ଭିତରକୁ ପଶିଯାଇପାରୁଥିଲା । ବେଲୁନଟି ଚିତ୍ରବିଚିତ୍ର ହୋଇ ଅତି ସୁନ୍ଦର ଦେଖାଯାଉଥିଲା । ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ, ଭାବୁଥିଲେ ଏତେ ସୁନ୍ଦର ବେଲୁନଟିକୁ ଜଳେଇ ଦେଉଛନ୍ତି କାହିଁକି ? ଯେତେବେଳେ ବେଲୁନଟି ବାଷ୍ପରେ ଭରିଯାଇଥିଲା ସେତେବେଳେ ବେଲୁନଟି ଦଉଡ଼ିକୁ ଉପରକୁ ଟାଣିବାରେ ଲାଗିଲା । ଦୁଇଭାଇ ସଙ୍ଗେ ସଙ୍ଗେ ଦଉଡ଼ିକୁ ଧରି ପକାଇଲେ ଏବଂ ଉପରକୁ ଉଠିଗଲେ । ବେଲୁନଟିକୁ ଉପରକୁ ଉପରକୁ ଉଠିବାକୁ ଲାଗିଲା । ଦର୍ଶକମାନେ ତଳେ ରହି ମଜା ଦେଖୁଥାନ୍ତି । ଏତିକିବେଳେ ଲିଲିକୁ ପ୍ରଶ୍ନ କଲେ ମାଉସୀ ଆଚ୍ଛା କହିଲୁ ଲିଲି ସେ ବେଲୁନଟି କେତେ ଉପରକୁ ଯାଇଥିବ ? ଲିଲି ଆଶ୍ଚର୍ଯ୍ୟ ହୋଇ ପଚାରିଲା ମାଉସୀ କେତେ ଉପରକୁ ଯାଇଥିବ ତୁମେ କୁହତ ? ମାଉସୀ କହିଲେ ଏହା ୯୦୦ ମିଟର ଉଚ୍ଚକୁ ଉଠିଯାଇଥିଲା । ଆଉ ଦୁଇ କିଲୋମିଟର ବୁଲି ତଳକୁ ଓହ୍ଲାଇଥିଲା । ସେଇ ଦୁଇଭାଇ ପୁଣି ପକ୍ଷୀଭଳି ଗୋଟିଏ ବସ୍ତୁ ତିଆରି କରି ଉପରକୁ ପଠାଇଲେ ଯେଉଁଥିରେ କି ଇଞ୍ଜିନ ନଥିଲା ଯାହା କେବଳ ପବନରେ ଉଡ଼ିପାରୁଥିଲା । ତାର ନାମ ଥିଲା ଗ୍ଲାଇଡ଼ର । ଏବେ ତୁ ଆକାଶରେ ଉଡ଼ାଜାହାଜ ଉଡ଼ୁଥିବାର ଦେଖୁଥିବୁ । ତାକୁ ଉଦ୍ଭାବନ କରିଥିଲେ ଆମେରିକାର ଦୁଇଭାଇ । ତାଙ୍କ ନାଁ ଥିଲା ରାଇଟ୍‌ ବ୍ରଦର୍ସ । ଏହି ସମୟରେ ଲିଲିର ମା’ ଲିଲିକୁ ଡାକିଲେ, କିନ୍ତୁ ସୁନ୍ଦରୀ ମାଉସୀ ଲିଲିକୁ କଥା ନଶୁଣାଇ ଛାଡ଼ନ୍ତେ । କିପରି ସେ ଲିଲିକୁ କହିଲେ ତୁ ତ ଉଡ଼ାଜାହାଜ ଦେଖୁଛୁ ହେଲେ ଆମ ସ୍କୁଲ ପଡ଼ିଆରେ ଥରେ ମନ୍ତ୍ରୀ ଯେଉଁଥିରେ ଆସି ଓହ୍ଲାଇଲେ ସେ ତ ଉଡ଼ାଜାହାଜ ନଥିଲା ? ତେବେ ତାହା କ’ଣ ଥିଲା ? ତୁ କହିଲୁ ? ଲିଲି ସଙ୍ଗେ ସଙ୍ଗେ ମାଉସୀଙ୍କୁ କହିଲା ହେଲିପକ୍‌ଟର । ମାଉସୀ ମୁଣ୍ଡ ହଲାଇ କହିଲେ ନାଁ ଲୋ ତାହା ହେଲିପକ୍‌ଟର ନୁହେଁ । ତାହା ହେଉଛି ହେଲକପ୍‌ଟର । ତେବେ ହେଲିକପ୍‌ଟର ବିଷୟରେ କହୁଛି ଶୁଣ ।

 

ଉଡ଼ାଜାହାଜ ଭଳି ବଡ଼ ନହେଲେ ବି ଅଳ୍ପ ଯାତ୍ରୀଙ୍କୁ ନେଇ ଯେଣେ ଇଚ୍ଛା ତେଣେ ଉଡ଼ିପାରୁଥିବା ଆକାଶ ଯାନକୁ ଆମେ ହେଲିକପ୍‌ଟର କହୁ । ହେଲିକପ୍‌ଟର ୧୯୦୭ ଖ୍ରୀଷ୍ଟାବ୍ଦରେ ଫ୍ରାନ୍ସରେ କୋର୍ଣ୍ଣସ୍‌ ନାମକ ଜଣେ ବ୍ୟକ୍ତି ଉଦ୍ଭାବନ କରଥିଲେ ।

 

ହେଲିକପ୍‌ଟରର ଆକାର ଯେତିକି ବଡ଼ ତାକୁ ସେତିକି ବଡ଼ ଜାଗାରେ ଯେଉଁଠି ହେଲେ ଓହ୍ଲାଇପାରେ । ହଠାତ୍‌ ଉପରକୁ ଉଠିପାରେ ତଳକୁ ମଧ୍ୟ ଖୁସିପାରେ । ପୁଣି ସ୍ଥିର ଭାବରେ ଆକାଶରେ ରହିଯାଇପାରେ ।

 

ସବୁ ହେଲିକପ୍‌ଟରର ଠିକ୍‌ ଉପରେ ଗୋଟିଏ ପକ୍ଷଥାଏ । ପବନରେ ଯୋରରେ ଘୂରିଥାଏ । ସେଇ ଚକ୍ରୀ ଭଳି ଘୁରୁଥିବା ପକ୍ଷ ଜୋରରେ ଘୂରିଲେ ହେଲିକପ୍‌ଟର ଟି ଉପରକୁ ଉଠିଯାଏ । ଯେମିତି ଉଡ଼ାଜାହାଜରେ ଦୁଇ କଡ଼ରେ ଡେଣା ଥାଏ ସେଭଳି ହେଲିକପ୍‌ଟରର ନଥାଏ । ଉପର ତଳ ଏପଟ ସେପଟ କରି ଘୂରାଇ ଚାଳକ ନିଜ ଇଚ୍ଛାରେ ହେଲିକପ୍‌ଟର ଚଳାଇଥାଏ । ଆସ୍ତେ ବୁଲିଲେ ହେଲିକପ୍‌ଟର ଆସ୍ତେ ଆସ୍ତେ ଚାଲେ ପୁଣି ଜୋରରେ ଘୂରିଲେ ଜୋରରେ ଉଡ଼େ । ହେଲିକପ୍‌ଟର ପଛପଟେ ଠିକ୍‌ ଲାଞ୍ଜ ପାଖକୁ ଆଉ ଗୋଟିଏ ଛୋଟିଆ ପକ୍ଷ ଥାଏ । ସେଇ ପକ୍ଷ ଜୋରରେ ଘୂରିଲେ ହେଲିକପ୍‌ଟର ଏଣେ ତେଣେ ନ ଯାଇ ନିୟନ୍ତ୍ରଣ ଭିତରେ ରହେ । କେତେକ ହେଲିକପ୍‌ଟରରେ ଦୁଇଟା ଲେଖାଏଁ ବଡ଼ ବଡ଼ ପକ୍ଷ ଥାଏ । ଏଭଳି ହେଲିକପ୍‌ଟର ପବନ ଦ୍ୱାରା ଚାଲେ । ସୈନ୍ୟବାହିନୀରେ ଏହି ହେଲିକପ୍‌ଟର ବେଶୀ ବ୍ୟବହାର କରାଯାଏ । ଯୁଦ୍ଧ ସମୟରେ ସୈନ୍ୟମାନଙ୍କୁ ନେବା ଆଣିବା କରିବା, ଆକାଶରେ ଗୋଟିଏ ସ୍ଥାନରେ ସ୍ଥିରରହି ସୈନ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଜାଗାରେ ଓହ୍ଲାଇବାରେ ସାହାଯ୍ୟ କରିଥାଏ ।

 

ସମୁଦ୍ରରେ ବୁଡ଼ିଯାଉଥିବା ଲୋକମାନଙ୍କୁ ଉପରୁ ଦଉଡ଼ି ଇତ୍ୟାଦି ପକାଇ ଉଦ୍ଧାର କରିବା, ନିଆଁ ଲିଭାଇବା, ଉପରେ ସ୍ଥିର ରହି ଜମିରେ ସାର, କୀଟନାଶକ ଔଷଧ ପକଇବା ଏବଂ ମଞ୍ଜି ବୁଣିବା କାର୍ଯ୍ୟ ମଧ୍ୟ କରିଥାଏ । ତାପରେ ବନ୍ୟା ସମୟରେ ହେଲିକପ୍‌ଟର ଦ୍ୱାରା ଦୁର୍ଗତ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଥାଏ । ସେମାନଙ୍କୁ ଖାଦ୍ୟ ପୁଡ଼ିଆ ମଧ୍ୟ ଯୋଗାଇ ଦେଇଥାଏ ।

 

ଏକଥା ଶୁଣି ଲିଲି କହିଲା ହେଲିକପ୍‌ଟର ଲୋକମାନଙ୍କର ସତେ ଏତେ ଉପକାରରେ ଆସେ । ମାଉସୀ କହିଲେ ଖାଲି ଉଡ଼ାଜାହାଜ ହେଲିକପ୍‌ଟରରେ ଲୋକ ଆକାଶରେ ଉଡ଼ି ବୁଲୁନି,ରକେଟ୍‌ ତିଆରି କରି ପହଞ୍ଚିଲେଣି । ବେଶି ପାଠ ପଢ଼ିଲେ ରକେଟ୍‌ ବିଷୟରେ ତୁ ଅଧିକ ଜାଣିପାରିବୁ । ଯା ଏବେ ମା’ ଡାକିଲେଣି ଖାଇ ସୋଇବୁ ଯା ।

☆☆☆

 

ଆମ ପୋଷାକ

 

ସିଲୁ ବାପାଙ୍କ ସାଙ୍ଗରେ ବଜାର ବୁଲିଯାଇଥିଲା । ବାପା ନିଲୁ ପାଇଁ ଗୋଟେ କଣ୍ଢେଇ କିଣିଲେ; ଆଉ ସିଲୁ ପାଇଁ ଗୋଟିଏ ଭଲ କଲମଟିଏ କିଣିଲେ । କଲମଟି ପାଇ ସିଲୁ ଭାରି ଖୁସି ହେଇଗଲା । ହେଲେ ନିଲୁର ଜନ୍ମ ଦିନ ଆଗକୁ ଆସୁଛି । ମା’ କହୁଥିଲେ ନିଲୁର ସାର୍ଟ ଓ ପ୍ୟାଣ୍ଟ କିଣି ଆଣିବାକୁ ସିଲୁ ବାପାଙ୍କ ସାଥିରେ ଲୁଗା ଦୋକାନକୁ ଗଲା । ନିଲୁପାଇଁ ଜାମା କିଣାଗଲା; ସିଲୁ ପାଇଁ ମଧ୍ୟ ବାପା ଜାମାଟିଏ କିଣିଲେ ଆଉ ନିଜର ଜାମା ଖଣ୍ଡିଏ ନଥିଲା ତେଣୁ ତାଙ୍କ ପାଇଁ ଖଣ୍ଡେ ଜାମା ସେ ମଧ୍ୟ କିଣି ରିକ୍‌ସାରେ ବସି ଘରକୁ ଫେରିଲେ । ସିଲୁ ନିଲୁକୁ ବେଲୁନ୍‌ ଆଉ କଣ୍ଢେଇ ଧରାଇଦେଲା । ନିଲୁ କଣ୍ଢେଇ ଧରି ଖୁସିରେ ନାଚିବାକୁ ଆରମ୍ଭ କଲା । ବାପା ବଜାରରୁ ମିଠେଇ ଆଣିଥିଲେ; ଘରେ ସମସ୍ତଙ୍କୁ ବାଣ୍ଟିଦେଲେ ।

 

ସିଲୁ ମା’ ନିଲୁ ପାଇଁ ଆସିଥିବା ସାର୍ଟ ପ୍ୟାଣ୍ଟ ଦେଖିବା ପାଇଁ ବାପାଙ୍କୁ ପଚାରିଲେ ସଙ୍ଗେ ସଙ୍ଗେ ପ୍ୟାକେଟ୍‌ ଭିତରୁ ସାର୍ଟପ୍ୟାଣ୍ଟ ଖୋଲି ଦେଖାଇଦେଲେ । ନିଲୁର ସାର୍ଟ ଭାରି ସୁନ୍ଦର ଆଉ ରଙ୍ଗ ବେରଙ୍ଗର ଥିଲା । ଆଉ ଦାମିକା ଥିଲା, ସିଲୁର ମଧ୍ୟ ଦାମିକା ଥିଲା ।

 

ମା’ ସିଲୁ ଆଉ ନିଲୁର ସାର୍ଟ ପ୍ୟାଣ୍ଟକୁ ବହୁତ ପସନ୍ଦ କଲେ । ସିଲୁ ଆଉ ନିଲୁର ସାର୍ଟ ନାଇଲନ୍‌ର ଥିଲା । ଚିକ୍‌ ଚିକ୍‌ କରୁଥିଲା । ବାପାଙ୍କ ସାର୍ଟ ସୂତାର ଥିବାରୁ ଏତେ ସୁନ୍ଦର ନଥିଲା ଆଉ ଚିକ୍‌ ଚିକ୍‌ କରୁନଥିଲା । ସିଲୁ ମନେମନେ ଭାବି ହେଲା ମା କହୁଥିଲେ କପାରୁ ସୂତା ହୁଏ , ଆଉ ସେଇ ସୂତାରୁ କନା ତିଆରି ହୁଏ । କନାରୁ ଲୁଗା, ଗାମୁଛା, ଲୁଙ୍ଗି, ଶାଢ଼ୀ ଆଦି ତ ତିଆରି ହୁଏ । ତେବେ ‘ନାଇଲନ୍‌’ ପୁଣି କଣ ? ସେଥିରୁ କଣ ସୂତା ହୁଏ; ସୂତାରୁ କନା ଆଉ ବିଭିନ୍ନ ପ୍ରକାର ପୋଷାକ ପତ୍ର ମଧ୍ୟ ତିଆରି ହୋଇଥାଏ । ସେଦିନ ରାତିରେ ଖିଆପିଆ ଶେଷ ହେଲା । ସିଲୁ ମାଙ୍କୁ ପଚାରିଲା, ମା’ ତୁମରତ ସୂତା ଶାଢ଼ୀ ଅଛି । ନାଇଲନ୍‌ ଶାଢ଼ୀ ଅଛି । ଚିକ୍‌ ଚିକ୍‌ କରୁଥିବା ଏ ନାଇଲନ୍‌ ଶାଢ଼ୀ କଣ ? ଏହା କେଉଁଥିରେ ତିଆରି ? ମା କହିଲେ, ବିଭିନ୍ନ ପ୍ରକାର ଜିନିଷ ରହିଛି ଯେଉଁଥିରୁ ସୂତା ତିଆରି ହୁଏ, ଏବଂ ଲୁଗା ମଧ୍ୟ ତିଆରି ହୋଇଥାଏ । ଯେପରିକି ପଶମ, ରେଶମ, ଝୋଟ, ଛଣି ପ୍ରଭୃତି ପ୍ରକୃତି ଜାତ ପଦାର୍ଥର ତନ୍ତୁରୁ ବିଭିନ୍ନ ରକମର ଲୁଗାପଟା ବୁଣାଯାଇଥାଏ । କପା ଲୁଗା ବ୍ୟତୀତ ପ୍ରାକୃତିକ ପଦାର୍ଥରୁ ଯେଉଁସବୁ ଲୁଗା ଆମ ଦେଶରେ ତିଆରି ହୁଏ ତାହା ହେଲା ପଶମ ଓ ରେଶମ ଲୁଗା । ଏହି ପ୍ରାକୃତିକ ବସ୍ତୁରୁ ତିଆରି ହେଉଥିବା ଲୁଗା ବେଶୀ ଦିନଯାଏ ରହେ । କିନ୍ତୁ ମଣିଷ ବୁଦ୍ଧି ପାଞ୍ଚି କୃତ୍ରିମ ଉପାୟରେ ଲୁଗା ତିଆରି କରିବା ପାଇଁ ଚେଷ୍ଟାକଲା । ଏହି ସମୟରେ ବାପା ବଗିଚାରେ ବସିଥିଲେ ଏବଂ ସିଲୁ ଓ ତାର ମା’ଙ୍କର କଥାବାର୍ତ୍ତା ଶୁଣୁଥିଲେ । ସେ ତାଙ୍କ କଥା ଭାଷା ଭିତରେ ଘର ଭିତରକୁ ଚାଲି ଆସି ପଚାରିଲେ ଏଇ କୃତ୍ରିମ ଉପାୟରେ ଲୁଗା ତିଆରି କଥା କେଉଁ ବୈଜ୍ଞାନିକ ଚିନ୍ତା କରିଥିଲେ ଜାଣିଛ ?

 

ସିଲୁର ମା’ ଜାଣିନାହାନ୍ତି ବୋଲି ମନାକରିଦେଲେ ।

 

ବାପା କହିଲେ, ସେ ହେଉଛନ୍ତି ରବର୍ଟ ହୁକ୍‌ । କୃତ୍ରିମ ଉପାୟରେ ରେଶମ ଲୁଗା ତିଆରି କରିବା କଥା ପ୍ରଥମେ ଚିନ୍ତା କଲେ । ରବର୍ଟ ହୁକ୍‌ଙ୍କ ପରେ ପ୍ରାୟ ୨୫୦୦ ବର୍ଷ ତଳେ ରୋମର ନାମକ ଆଉ ଜଣେ ବୈଜ୍ଞାନିକ ଗବେଷଣା ଚଳେଇଲେ । ସେ କହିଲେ ରେଶମ ପୋକ ଯେମିତି ରେଶମ ସୂତା ତିଆରି କରୁଚି ସେମିତି ମଣିଷ ଚାହିଁଲେ ବି ରେଶମ ସୂତା ତିଆରି କରିପାରିବ ।

 

ରୋମରଙ୍କ ଶହେବର୍ଷ ପରେ ମାଞ୍ଚେଷ୍ଟର ସହରର ଜଣେ ରେଶମ ବୁଣାଳୀ କୃତ୍ରିମ ଉପାୟରେ ରେଶମ ସୂତା ବାହାର କରିବାକୁ ଗୋଟିଏ ଯନ୍ତ୍ର ତିଆରି କଲେ । ସେଇ ଯନ୍ତ୍ର ସାହାଯ୍ୟରେ ଜିଲାଟିନ୍‌ ଓ ଅଗର ପ୍ରଭୃତି ପଦାର୍ଥରୁ ସରୁ ସରୁ ସୂତା ବାହାର କରିବାକୁ ଚେଷ୍ଟା କଲେ, କିନ୍ତୁ ଏ ସୂତା ଏତେ ମଜଭୁତ ହେଲା ନାହିଁ । ଫ୍ରାନ୍ସ ଦେଶର କାଉଣ୍ଟ ହିଲାରୀ କର୍ଡୋନେଣ୍ଟ ନାମକ ଜଣେ ବୈଜ୍ଞାନିକ ବହୁ ଗବେଷଣା କରି ଅଗ୍ନି କାର୍ପାସରୁ କୃତ୍ରିମ ରେଶମ ତିଆରି ହେଇପାରିବ ବୋଲି କହିଲେ । ସେଇ ବୈଜ୍ଞାନିକଙ୍କ କଥାକୁ ନେଇ ଅନ୍ୟ ବୈଜ୍ଞାନିକ ମାନେ ତାଙ୍କର ଗବେଷଣା ଚଳାଇଲେ । ତୁଳା, ଛିଣ୍ଡା କନା, ଛିଣ୍ଡା ସୂତା, କାଠଗୁଣ୍ଡ, ଝୋଟ ଆଦି ପଦାର୍ଥରୁ ରେଶମ ସୂତା ତିଆରି ହେଲା । ଦୁଧ ଛେନାରୁ ମଧ୍ୟ ଏଇ ସୂତା ତିଆରି ହେଉଛି ।

 

ଚିନାବାଦାମ ଓ ସୋୟାବିନ୍‌ ମଞ୍ଜିରୁ ବି ବହୁ ପ୍ରକାର କୃତ୍ରିମ ଲୁଗା ପାଇଁ କିନ୍ତୁ ପ୍ରସ୍ତୁତ କରାଯାଉଚି ।

 

ବଜାରରେ ଏବେ ଯେତେ ପ୍ରକାର କୃତ୍ରିମ ରେଶମ ପୋଷାକ, ଶାଢ଼ୀ, ଆଦି ମିଳୁଛି, ତା’ ଭିତରୁ ନାଇଲନ୍‌ ଲୁଗାକୁ ଲୋକ ବେଶୀ ପସନ୍ଦ କରୁଛନ୍ତି କାରଣ ନାଇଲନ୍‌ ସୂତା ଅଧିକ ଟାଣ ଓ ଶସ୍ତା । ୧୯୩୮ ମସିହାରେ ଏହି ନାଇଲନ୍‌ ଲୁଗା ବାହାରିଥିଲା । ଠିକ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ବଜାରକୁ ଆସିଲା । ଏହାକୁ ବେଶୀ ଲୋକ ଆଦର କରନ୍ତି । ଏହାର ଚିକ୍‌ଚିକ୍‌ ରଙ୍ଗ ଆଉ ବେଶୀ ଦିନ ଯାଏ ଏହା ରହେ ବୋଲି ତୁ ଜାଣି ଆଶ୍ଚର୍ଯ୍ୟ ହେବୁ, ଆଲ୍‍କାତରାରୁ ମଧ୍ୟ ଏଇ ନାଇଲନ୍‌ ତନ୍ତୁ ପ୍ରସ୍ତୁତ କରାଯାଇ ସେଥିରୁ ବିଭିନ୍ନ ପ୍ରକାରର କେତେ ପ୍ରକାର ରଙ୍ଗର ଶାଢ଼ୀ, ସାର୍ଟ ଲୁଗା ଆଉ ମୁଣ୍ଡରେ ବାନ୍ଧିଥିବା ରିବନ ମଧ୍ୟ ପ୍ରସ୍ତୁତ କରାଯାଉଛି ।

 

ଏବେ ଜାଣିଲୁ ତ ସିଲୁ ମୋ ସାର୍ଟ ଆଉ ତମ ଦୁଇଜଣଙ୍କର ସାର୍ଟ ପ୍ୟାଣ୍ଟ ଭିତରେ କେତେ ତଫାତ୍‌ । ସିଲୁ ଖୁସି ହେଇ ବାପାଙ୍କୁ କହିଲା, ବାପା ଏ ମଣିଷ ନିଜର ସୁବିଧା ପାଇଁ କଣ ନକରିଛି ସତରେ ।

☆☆☆

 

ଚକ କିଏ ଦେଲା ଗାଡ଼ିରେ ଯୋଡ଼ି

 

ବାପାଙ୍କର ଗାଁକୁ ଯିବାର ଥିଲା । ସକାଳୁ ସକାଳୁ ଉଠି ନିତ୍ୟକର୍ମ ସାରି ସ୍କୁଟର ବାହାର କରି ଗଲାବେଳକୁ ଦେଖିଲେ ସ୍କୁଟର ଚକାରେ ପମ୍ପ୍‌ ନାହିଁ । ତଳେ ଲାଗି ଯାଇଛି । ସେ ସେଇଠୁ ପାଟିକରି ଉଠି ନିଜର ସାନଭାଇକୁ ଡାକ ପକାଇଲେ । ଏକଥା ଶୁଣି ରାଖି ବି ତାଙ୍କ ପାଖକୁ ଚାଲିଗଲା । ତା’ ସାଥିରେ ତା’ର ସାନଭଉଣୀ ରେଖା ଏବଂ ଇତି ବି ଚାଲିଗଲେ । ବାପାଙ୍କୁ ପଚାରିବାରୁ ବାପା କହିଲେ କାଲି ରାତିରେ ଆସିଲାବେଳେ ଟାୟାରରେ କଣ୍ଟା ଫୁଟିଯାଇଛି ନା କ’ଣ ? ଆଜି ଆଦୌ ପମ୍ପ୍‌ ନାହିଁ । ମୁଁ ତ ଗାଁକୁ ଆଜି ଯାଇପାରିବିନି ଏବଂ ତାଙ୍କ ସାନଭାଇ କୁନିକୁ କହିଲେ ସ୍କୁଟରଟାକୁ ପେଲି ପେଲି ନେଇଯାଉଥିଲେ, ରେଖା ଭାବୁଥିଲା କୁନିଦାଦାଙ୍କୁ କେତେ କଷ୍ଟ ହେବ ସତରେ ! କିନ୍ତୁ ରାଖି ଭାବୁଥିଲା, ସ୍କୁଟରରେ ଚକା କିଏ ଲଗାଇଲା । ଚକା ବିନା ସ୍କୁଟର କ’ଣ ଚାଲିପାରିବନି ? ବାପାଙ୍କୁ ଏକଥା ପଚାରୁ ପଚାରୁ, ବାପା କହିଲେ–ଚକ ହେଉଛି ମଣିଷର ପ୍ରଥମ ଓ ସବୁଠାରୁ ବଡ଼ ଉଦ୍ଭାବନ । ଏହା ଅତି ଛୋଟ ହେଲେ ବି ମଣିଷର ଚଳପ୍ରଚଳ ପାଇଁ ଏହା ଅତି ଦରକାରୀ । ଆମେମାନେ ଯେଉଁ ସାଇକେଲ, ମୋଟର ସାଇକେଲ, ଶଗଡ଼ ଗାଡ଼ି, କାର୍‌, ରେଳଗାଡ଼ିରେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ଯିବା ଆସିବା କରୁଛେ ସେଥିରେ ଚକ ଲାଗି ନଥିଲେ ଆମର ଯିବା ଆସିବାରେ ଅସୁବିଧା ତ ହୁଅନ୍ତା, ତା’ଛଡ଼ା ଆମେ ଜିନିଷପତ୍ର ପଠାଇ ପାରୁନଥାନ୍ତ କିମ୍ୱା ଆଣିପାରିନଥାନ୍ତୁ । ଏମିତିକି ଯେଉଁ ଉଡ଼ାଜାହାଜ ଆକାଶରେ ଉଡ଼ୁଛି; ତା’ର ଯଦି ଚକ ଲାଗିନଥାନ୍ତା, ତେବେ ଉପରକୁ ଉଠିବାରେ ଏବଂ ଓହ୍ଲାଇବାରେ ସୁବିଧା ହୋଇପାରନ୍ତା ନାହିଁ । ଏହାଯେ କେବଳ ଆମ ଗମନାଗମନରେ ସୁବିଧା ହେଉଛି ତା’ ନୁହେଁ ମେସିନ୍‌ରେ ମଧ୍ୟ ଏହି ଚକ ନ ଲାଗିଥିଲେ କୌଣସି ପ୍ରକାର ଦରକାରୀ ଜିନିଷ ଉତ୍ପାଦନ ହୋଇପାରନ୍ତା ନାହିଁ । ଘଣ୍ଟାରୁ ସମୟ ବି ଜାଣିପାରନ୍ତେ ନାହିଁ । ଚକ ନ ବୁଲିଲେ ବିଜୁଳି ଶକ୍ତି ମଧ୍ୟ ବାହାରିପାରନ୍ତାନି । ତେଣୁ ଚକ ବଦଳରେ ଆମେ ଗୋଟିଏ ଦିନ ବି ଯାଇ ଚଳିପାରନ୍ତେ ନାହିଁ ।

 

କିନ୍ତୁ ଆମ ମନରେ ପ୍ରଶ୍ନ ଉଠେ ଏଇ ଚକ କିଏ ବାହାର କଲେ ? ତାଙ୍କୁ ଧନ୍ୟବାଦ ଦେବା କଥା । କିନ୍ତୁ କଥା ହେଉଚି କେହି ଜାଣନ୍ତି ନାହିଁ ଯେ, କିଏ ଏହାକୁ ବାହାର କରିଥିଲେ । ପ୍ରାୟ ୫୦୦୦ ହଜାର ବର୍ଷ ତଳେ ଏବଂ ଖ୍ରୀଷ୍ଟ ଜନ୍ମ ହେବାର ୩୦୦୦ ବର୍ଷ ପୂର୍ବରୁ ଏହି କଥା କିଏ ଜଣେ ଚିନ୍ତା କଲେ ଏବଂ ଚକର ଆବଶ୍ୟକତା ଅଛି ବୋଲି ଭାବି ଚକ ତିଆରି କଲେ । ଚକ ତିଆରି ହେବା ଫଳରେ ଗାଡ଼ିରେ ଲାଗିଲା,ଏବଂ ତାକୁ ପଶୁମାନେ ଟାଣିନେଲେ । ଆମର ଶଗଡ଼ଗାଡ଼ି କେତେ ପୁରୁଣା କହିଲ ? ଆଗେ ମଣିଷ ସରୁ କାଠରେ ଭାଡ଼ି କରି ତା’ଉପରେ ଜିନିଷ ଲଦି କୁକୁର ଦ୍ୱାରା ଟଣାଇନେଉଥିଲା । ଏହି ଗାଡ଼ିକୁ ‘ସ୍ଲେଜ୍‌’ ଗାଡ଼ି କୁହାଯାଉଥିଲା । ଏବେ ମଧ୍ୟ ବରଫାବୃତ୍ତ ଅଞ୍ଚଳରେ ଏ ଗାଡ଼ିର ପ୍ରଚଳନ ଅଛି । ପ୍ରଥମେ ପଥମେ କେତୋଟି ଗୋଲ ଗୋଲ କାଠଖଣ୍ଡ ଉପରେ ଜିନିଷତକ ରଖି ତା’ଉପରେ ନିଜର ଭରାଦେଇ ଠେଲିଲା ଏବଂ କାଠଖଣ୍ଡ ଭୂଇଁରେ ଘଷିହୋଇ ବୁଲିବାକୁ ଲାଗିଲା, ଏବଂ ଗଡ଼ିଲା । ଜିନିଷଗୁଡ଼ିକ ସହଜରେ ଗଡ଼ି ଗଡ଼ି ଅନ୍ୟଜାଗାରେ ପହଞ୍ଚଗଲା । ଏଇଥିରୁ କେହି ଜଣେ କଳ୍ପନା କଲେ ଯେ, ନିଶ୍ଚୟ ଚକା ଦୁଇଟି ହେଲେ ଗାଡ଼ିଟି ସହଜରେ ଗଡ଼ିପାରିବ । ପ୍ରାୟତଃ ମେସୋପଟାମିଆରୁ ଏହି ଚକ ପ୍ରଥମେ ବାହାରିଥିବାର ସୂଚନା ମିଳେ । ସେ ସମୟରେ ବଳଦଗାଡ଼ି ପ୍ରଚଳନ ଥିଲାବୋଲି ମହେଞ୍ଜୋଦାର ପ୍ରତ୍ନତତ୍ତ୍ୱ ଖନନରୁ ମିଳିଥାଏ । ମଣିଷ ପରେ ଭାବିଲା ଯଦି ବଡ଼ ବଡ଼ ଚକ ହେବ ତେବେ ଜିନିଷପତ୍ର ନେବା ପାଇଁ ଅଧିକ ପରିଶ୍ରମ ପଡ଼ିବ ନାହିଁ ।

 

ଚକ ନ ଭାଙ୍ଗି ଯିବା ପାଇଁ କିମ୍ୱା ଘୋରି ନଯିବା ପାଇଁ ତାର ଉପରି ଭାଗରେ ଲୁହାର ପାତ ଗୁଡ଼ାଇ ଦିଆଗଲା । ତା’ପରେ ମଣିଷ ଲୁହା ବଦଳରେ ରବର ବ୍ୟବହାର ଯେବେ ଜାଣିଲା ରବର ଗୁଡ଼ାଇଦେଲା । ଏବଂ ଭାବିଲା କାଠ ବଦଳରେ ରବରରେ ମଧ୍ୟ ଚକା କରିହବ; ଏବଂ ଟାୟାର, ଟିଉବ୍‌ ବାହାର କଲା । ଯାହା ଏବେ ସାଇକେଲ୍‌, ରିକ୍‌ସା, ମଟର ସାଇକେଲ୍‌, ସ୍କୁଟର, କାର୍‌, ବସ୍‌ ଚକାରେ ଲାଗି ବହୁତ ବାଟ ଯାଉଛି ଏବଂ ବେଶିଦିନ ରହୁଛି । ରେଳଗାଡ଼ି ଲୁହାଧାରଣା ଉପରେ ଯାଉଥିବାରୁ ତା’ର ଚକ ଲୁହାରେ ତିଆରି । ତେବେ ଜାଣିଲ ତ ପିଲାଏ ମଣିଷ କେତେ ବୁଦ୍ଧିଆ । ନିଜ ସୁଖ ସୁବିଧା ପାଇଁ ସେ କେଡ଼େ କଥା ଚିନ୍ତା କରି ବାହାର କରୁଛି । ଏଇ ସମୟରେ କୁନି ଦାଦା ସ୍କୁଟରର ଚକା ଠିକ୍‌ କରି ଘରେ ପହଞ୍ଚିଯାଇଥିଲେ ।

Image